
ଭଦ୍ରକ : ଭଦ୍ରକ ମେଡିକାଲରେ ଅଭାବନୀୟ ଘଟଣା । ଲିଫ୍ଟରେ ଚାପି ହୋଇ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା ବୋଲି ଜଣାପଡିଛି ।
ଘଟଣାନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁର ମୀନତି ପରିଡ଼ା ହଠାତ୍ ଅଣନିଶ୍ୱାସୀ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା କରି ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନିଆ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଉପରକୁ ଉଠିଯିବାରୁ ଷ୍ଟ୍ରେଚର ସହିତ ଚାପି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ସ୍ଥିତି ନିୟନ୍ତ୍ରଣ ନେଇ ହସ୍ପିଟାଲ ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ବିହିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ CDMO ।