
କେନ୍ଦ୍ରାପଡ଼ା : ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ଏହି ନିଷ୍ପତ୍ତି ନେଇଛି । ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିବ ଭିତରକନିକା ।
କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା’ କୁମ୍ଭୀରମାନେ ଅଣ୍ଡାଦାନ କରିଥାନ୍ତି । ଏହି ୩ ମାସ ଭିତରକନିକା ଭିତରେ ବୋଟ ଚଳାଚଳ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏଁ ବସାକୁ ଜଗି ରହିଥାନ୍ତି ମା’ କୁମ୍ଭୀର । ଅଣ୍ଡାଦାନ ପରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଥାଏ । ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଲୋକମାନେ ସତର୍କତାର ସହିତ ନଦୀରେ ଯିବା ଆସିବା କରିବା ପାଇଁ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।