୧୦ ଲକ୍ଷ ଟଙ୍କା ଅଭିଯୋଗରେ ଉପଜିଲ୍ଲାପାଳ ଗିରଫ

ଭବାନୀପାଟଣା, ୦୯/୦୬ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରା ଯାଇଥିଲେ। ପରେ ତାଙ୍କ ଘରେ ହୋଇଥିବା ଛାନବିନରେ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି।
ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଜେରା କରାଯିବା ସମୟରେ, ସେ ଟଙ୍କାର ହିସାବ ଠିକ୍ ଭାବରେ ଦେଇ ପାରିନଥିଲେ। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନ ମିଳିବାରୁ ସେ ବର୍ତ୍ତମାନ ଜେଲରେ ଅଛନ୍ତି।
ଭିଜିଲାନ୍ସ ବିଭାଗ ଏହି ମାମଲାର ତଦନ୍ତ ଜାରି ରଖିଛି। କଟକ ଭିଜିଲାନ୍ସ ସେଲ ଡିଭିଜନର ଏସପି ଏମ. ରାଧାକ୍ରୀଷ୍ଣା ଏକ ସମ୍ବାଦ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହାସହ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ତିନି ଜଣିଆ ସ୍ଵତନ୍ତ୍ର ଟିମ୍ ଦ୍ୱାରା ତଦନ୍ତ ଚାଲିଛି |
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଧର୍ମଗଡ଼ର ଉପଜିଲ୍ଲାପାଳ ଚକମା ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ରବିବାର ରାତିରେ ଉପଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା, ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ଅଭିଯୋଗକାରୀଙ୍କୁ ଉପଜିଲ୍ଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ।
ପରେ ଉକ୍ତ ଟଙ୍କାକୁ ତାଙ୍କ ବାସଭବନ ଅଫିସ ଟେବୁଲ୍ ଡ୍ରୟର ଭିତରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ଚଢ଼ଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଓ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ୪୭ ହଜାର ୬ଶହ ଟଙ୍କା ଜବତ ହୋଇଥିଲା।
ଏ ନେଇଁ ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୬/୨୦୨୫) ରୁଜୁ ହୋଇଛି। ଏହି ଚଢାଉ ରେ ଦୁଇଜଣ ସେଲ୍ ଏସପି ଓ ୪ ଜଣ ଡିଏସପି ସାମିଲ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୁଚନା ଦେଇଛି।
ସୂଚନା ଯୋଗ୍ୟ ଯେ ,ଗତ ୨୦୨୪ ଜାନୁୟାରୀ ମାସରୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଚକମା ଦାୟିତ୍ବ ନେଇଥିଲେ। ୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଚକ୍ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ।
ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଚକ୍ମା ୟୁପିଏସ୍ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଆଇ ଏ ଏସ ପାଇବା ପୂର୍ବରୁ ସେ ଆଇ ଏଫ ଏସ ପାଇ (୨୦୧୯ ବ୍ୟାର୍ଚ୍ଚ) ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଏସିଏଫ ଭାବେ ଜୁନ ୨୦୨୧ ପ୍ରଯ୍ୟନ୍ତ କାର୍ଯ୍ୟରତ ଥିଲେ ।
ପରେ ଆଇ ଏ ଏସ ପାଇ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ଅନ୍ୟପଟେ, ଜଣେ ଆଇଏଏସ ଲାଞ୍ଚ ନେଇଁ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।