ଓଡ଼ିଶା

ବିଏମସି ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଡ୍ରାଇଭର ସଚେତନତା କାର୍ଯ୍ୟକ୍ରମ 

ଶୂନ ଦୁର୍ଘଟଣା ପାଇଁ ଶପଥ ନେଲେ ପ୍ରାୟ 200 ଡ୍ରାଇଭର

ଭୁବନେଶ୍ୱର; ତା ୧୭.୦୬.୨୫ ରିଖ: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଶୂନ ଦୁର୍ଘଟଣା ଦିବସ ବା ଜିରୋ ଆକ୍ସିଡେଣ୍ଟ ଡେ ପାଳନ ଅବସରରେ ଡ୍ରାଇଭରମାନଙ୍କୁ ସଚେତନତା ସହ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠ ନମ୍ବର କମ୍ୟୁନିଟି ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଅନ୍ୟତମ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସମୀତା ମହାନ୍ତି, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ବିଏମସିର ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ଆମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ରୋଡ୍ ସେଫ୍ଟି, ଆଇଆଇଟି ମାଡ୍ରାସର ପ୍ରମୁଖ ପ୍ରକଳ୍ପ ଅଧିକାରୀ ଶ୍ରୀ ଗଙ୍ଗାଧର ସାହୁ ଯୋଗଦେଇଥିଲେ ।
           ସଡ଼କ ସୁରକ୍ଷା ସଚେତନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଏମସି ପକ୍ଷରୁ ଡ୍ରାଇଭର ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡକ ସୁରକ୍ଷାର ଗୁରୁତ୍ୱ ଉପରେ ଡ୍ରାଇଭରମାନଙ୍କୁ ଶିକ୍ଷିତ କରାଇବା ଏବଂ ଦାୟିତ୍ୱବାନ ଡ୍ରାଇଭିଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ବିଏମସିର ପ୍ରାୟ ୨୦୦ ଡ୍ରାଇଭର ଅଂଶ ଗ୍ରହଣ କରିଥିଲେ । ମଦ୍ୟ ପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା, ବାଇକ ଚଳାଇବା ବେଳେ ହେଲମେଟ ଏବଂ ଗାଡି ଚଳାଇବା ବେଳେ ସିଟ୍ ବେଲ୍ଟ ପିନ୍ଧିବା, ଟ୍ରାଫିକ୍ ନିୟମମାନି ଗାଡି ଚଳାଇବା, ବିପରିତ ଦିଗରେ ଗାଡି ନ ଚଳାଇବା, ରାସ୍ତା ବ୍ୟବହାରକାରୀ ଅନ୍ୟମାନଙ୍କୁ ଅସୁବିଧାରେ ନ ପକାଇବା  ଆଦି ସମ୍ପର୍କରେ  ମାନନୀୟା ମେୟର ଶ୍ରୀମତୀ ଦାସ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।
ଜୁନ୍ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ କରିବା ସହ ସଡକ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
        “ସଡ଼କ ସୁରକ୍ଷା ହେଉଛି ଏକ ସାମୂହିକ ଦାୟିତ୍ୱ । ନିରାପଦ ସଡ଼କ ସୁନିଶ୍ଚିତ କରିବା ପ୍ରତ୍ୟେକ ବ୍ୟକ୍ତିର ପ୍ରୟାସ ହେବା ଆବଶ୍ୟକ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । ସଡ଼କ ସୁରକ୍ଷା ସମ୍ପର୍କରେ ଡ୍ରାଇଭରମାନଙ୍କୁ ଶିକ୍ଷିତ କରିବା ପାଇଁ ବିଏମସି ଏବଂ ରାଜ୍ୟ ବାଣିଜ୍ୟ ଓ ପରିହବନ ବିଭାଗ ମିଳିତ ଭାବେ ଏହି ପଦକ୍ଷେପ ନେଇଥିବାରୁ ସେ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତ ଡ୍ରାଇଭର ଏହି ପ୍ରଶିକ୍ଷଣକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ନିରାପଦ ଡ୍ରାଇଭିଂ ଅଭ୍ୟାସ ଗ୍ରହଣ କରନ୍ତୁ ବୋଲି ସେ ଉପସ୍ଥିତ ଡ୍ରାଇଭରମାନଙ୍କୁ ପରାମର୍ଶ ଦେଇଛନ୍ତି ।
“ସଡ଼କ ସୁରକ୍ଷା କେବଳ ନିୟମ ପାଳନ କରିବା ନୁହେଁ, ଏହା ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ମାନସିକତା ଗ୍ରହଣ କରିବା ଦରକାର । ଗାଡି ଚଳାଇବା ବେଳେ ସମସ୍ତ ନିୟମ ମାନିବା ସହ ଶାରୀରିକ ଓ ମାନସିକ ସ୍ଥରରେ ଠିକ୍ ରହିବା ଦରକାର । ସବୁଠାରୁ ବଡ କଥା ହେଉଛି ଯେ ଡ୍ରାଇଭରମାନେ ଅନ୍ୟ ସଡକ ବ୍ୟବହାରକାରୀଙ୍କ ପ୍ରତି ବିନମ୍ର ହେବା ଜରୁରୀ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଡ୍ରାଇଭରମାନେ ଯଦି ନିଶ୍ଚିତ ନିୟମମାନି ଗାଡି ଚଳାନ୍ତି, ତେବେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି କହିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଗଙ୍ଗାଧର ସାହୁ ।
ଏହା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିଛି ଡ୍ରାଇଭର ମଧ୍ୟ ସେମାନଙ୍କର ଅଭିଜ୍ଞତା ଓ ଅଭ୍ୟାସ ସମ୍ପର୍କରେ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com