ପୁଣି ବିମାନ ଦୁର୍ଘଟଣା ; କଲେଜରେ ପଡିଲା ବାୟୁସେନା ବିମାନ

ଢାକା,୨୧।୭: ବାଂଲାଦେଶ ବାୟୁସେନାର FT-7BGI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଢାକାର ଏକ କଲେଜ କୋଠାରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି, ଏହା ବ୍ୟତୀତ ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଲଢ଼ୁଆ ବିମାନଟି ବାଂଲାଦେଶରେ ଚାଇନା ଦ୍ୱାରା ନିର୍ମିିତ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ବାଂଲାଦେଶ ବାୟୁସେନାର ଏହି ଲଢ଼ୁଆ ବିମାନ ଢାକାର ଉତ୍ତରରେ ଅବସ୍ଥିତ ମାଇଲଷ୍ଟୋନ କଲେଜ କ୍ୟାମ୍ପସରେ ଖସିପଡ଼ିଛି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଛାତ୍ରମାନେ କଲେଜରେ ଉପସ୍ଥିତ ଥିଲେ, ତେଣୁ ବହୁ ସଂଖ୍ୟକ ଛାତ୍ର ଆହତ ହେବାର ଆଶଙ୍କା କରାଯାଉଛି। ଢାକା ଅଗ୍ନିଶମ ସେବା ଅନୁଯାୟୀ, ଘଟଣାସ୍ଥଳକୁ ଆଠଟି ଦମକଳ ଗାଡ଼ି ପଠାଯାଇଛି।
ବାୟୁସେନାର FT-7BGI ଏକ ତାଲିମ ବିମାନ, ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ୍ସ ଅନୁଯାୟୀ, ଲଢ଼ୁଆ ବିମାନଟି ଅପରାହ୍ନ ୧.୦୬ରେ ଉଡ଼ାଣ କରିଥିଲା ଏବଂ ଅପରାହ୍ନ ୧.୩୦ ସୁଦ୍ଧା ଏହା ଦୁର୍ଘଟଣାର ଶିକାର ହୋଇଥିଲା। ହଜରତ ଶାହଜାହାନ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି, ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଆସୁଛି, ଯଦିଓ ଦୁର୍ଘଟଣାର ଅନ୍ୟ ମୃତାହତ ଏବଂ ପୀଡିତଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।