
ଭୁବନେଶ୍ୱର ୨४/ଜୁଲାଇ : ମହିଳାଙ୍କ ନ୍ୟାୟ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ନେଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି ଯେ, ଆଜିଠାରୁ କଂଗ୍ରେସ ଭବନରେ ଏକ ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରକୋଷ୍ଠ ଚାଲୁ ହୋଇଛି। ଯେକୌଣସି ମହିଳା ନିଜ ଅନ୍ୟାୟ ବା ଅନୁଭୂତିକୁ ଏଠାରେ ଆସି କହିପାରିବେ ଏବଂ ‘ନାରୀ ନ୍ୟାୟ’ ପୋର୍ଟାଲରେ ନାମ ପଞ୍ଜୀକରଣ କରି ଅଭିଯୋଗ ଦାଖଲ କରିପାରିବେ। ଏହି ପ୍ରକ୍ରିୟାକୁ ଆହୁରି ସହଜ କରିବାକୁ ଅନଲାଇନ୍ ମାଧ୍ୟମ ମଧ୍ୟ ଦିଆଯାଇଛି। ମହିଳାମାନେ ଇ-ମେଲ୍, କ୍ୟୁଆର୍ କୋଡ୍ ସ୍କାନ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ। ଏହି ସେବା ଶୁକ୍ରବାରଠାରୁ ଆରମ୍ଭ ହେବା ସହ ଖୁବ ଶୀଘ୍ର ଟୋଲଫ୍ରି ନମ୍ବର ମଧ୍ୟ ଜାରି କରାଯିବ। ଯେଉଁ ମହିଳାଙ୍କ ଅଭିଯୋଗ ଆସିବ, ସେମାନଙ୍କୁ ସାକ୍ଷାତ୍ କରି କଂଗ୍ରେସ ଟିମ୍ ତଦନ୍ତ ଓ ସହଯୋଗ କରିବ। ଏହି ପଦକ୍ଷେପକୁ କଂଗ୍ରେସର ନାରୀ ସୁରକ୍ଷା ଓ ନ୍ୟାୟ ଦେବାର ଗମ୍ଭୀର ପ୍ରୟାସ ଭାବେ ଦେଖାଯାଉଛି। ପିସିସି ସଭାପତି କହିଛନ୍ତି ଯେ, ସରକାର ଓ ପୋଲିସ ଉପରେ ଚାପ ପକାଇ ନ୍ୟାୟ ନିଶ୍ଚିତ କରାଯିବ। ଏହାକୁ ରାଜ୍ୟ ସରକାରଙ୍କ ‘ଶକ୍ତିଶ୍ରୀ’ ଯୋଜନା ପାଇଁ ଏକ ପ୍ରତିସ୍ପର୍ଧୀ ବା କାଉଣ୍ଟର ପ୍ଲାନ୍ ବୋଲି ବିବେଚନା କରାଯାଉଛି। ଏହି ପଦକ୍ଷେପ ମହିଳାମାନଙ୍କ ସମ୍ବଳ ଓ ସୁରକ୍ଷା ପାଇଁ ଏକ ସ୍ପଷ୍ଟ ସନ୍ଦେଶ ଦେଉଛି।