
ମୟୂରଭଞ୍ଜ ୨୬/ଜୁଲାଇ : ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଥିବାରୁ ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀର ଜଳସ୍ତର ଲାଗାତାର ଭାବେ ବଢ଼ି ଚାଲିଛି। ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ପଞ୍ଚାୟତ ଓ ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା ଦୃଢ଼ ହୋଇଯାଇଛି। ନାଖରା ପୋଲ ନିକଟରେ ଗତ ବନ୍ୟା ସମୟରେ ମାଟି ଅତଡ଼ା ଖସିଥିବା ଘାଇ ପୁଣି ବିପଦ ସୃଷ୍ଟି କରୁଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ହେମକାନ୍ତ ସଏ, ବେତନଟୀ ଏସ୍ଡିଓ ଅରବିନ୍ଦ ମହାନ୍ତି, ବୈଶିଙ୍ଗା ଥାନାଧିକାରୀ ଓ ଅନ୍ୟ ଅଧିକାରୀମାନେ ନାଖରା ସେତୁ ନିକଟରେ ପରିସ୍ଥିତି ଅନୁଧ୍ୟାନ କରି ସରପଞ୍ଚ, ତହସିଲଦାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ମାଟି ଅତଡ଼ା ଖସିଥିବା ଅଞ୍ଚଳକୁ ବାଲିବସ୍ତା ଦେଇ ସୁରକ୍ଷିତ କରିବା ପାଇଁ ଯୋଜନା ରଖାଯାଇଛି। ଜଳସେଚନ ବିଭାଗ ମଧ୍ୟ ଜରୁରୀ ପଦକ୍ଷେପ ନେଉଛି। ଗତବର୍ଷ ବନ୍ୟା ପରେ ଅନେକ ଗ୍ରାମ ଜଣେଇଥିବା ସତ୍ତେ, ଏବେ ବି ଅଞ୍ଚଳବାସୀ ଅସୁବିଧା ଓ ଭୟରେ ଅଛନ୍ତି। ଲଘୁଚାପ ଓ ଅତିବୃଷ୍ଟିର ପ୍ରଭାବରେ ବୈତରଣୀ ନଦୀ ବିପଦ ସୀମା ଛାଡ଼ିଛି। ଆନନ୍ଦପୁର ନିକଟରେ ଜଳସ୍ତର ୩୮.୫୨୦ ମିଟରକୁ ପହଞ୍ଚିଛି, ଯେଉଁଥିରେ ବିପଦ ସଙ୍କେତ ୩୮.୩୬୦ ଥିଲା। ଚମ୍ପୁଆ ଅଞ୍ଚଳରେ ୯୭.୨୦ ମିମି ବର୍ଷା ହୋଇଥିବା ନିମିତ୍ତରେ ଏହି ବୃଦ୍ଧି ଦେଖାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ଭୟ ସୃଷ୍ଟି ହୋଇଛି ଓ ପ୍ରଶାସନ ସତର୍କ ଅଛି। ଅନ୍ୟଅଞ୍ଚଳରେ ମଧ୍ୟ ଜଳସ୍ତର ବଢ଼ିବା ସମ୍ଭାବନା ଥିବା ସୂଚନା ମିଳିଛି।