ଡ. ସ୍ମୃତିରଞ୍ଜନ ଲେଙ୍କା ରାଷ୍ଟ୍ରୀୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ
ଦେଶର ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷା ପାଇଁ ରାହୁଲଙ୍କ ସହ ସଂଗଠିତ ଅଛନ୍ତି ଯୁବପିଢ଼ି :

ଭୁବନେଶ୍ୱର,୩୦/୭/୨୫ : ଦେଶର ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁ ଲଢେଇ ଜାରି ରଖିଛନ୍ତି ତାହା ଯୁବପିଢିଙ୍କୁ ଅନୁପ୍ରାଣିତ କରିଛି । ଜଣେ ଶିକ୍ଷିତ ଓ ଦକ୍ଷ ଯୁବନେତା ଭାବେ ସାରା ଦେଶରେ ରାହୁଲଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି । ବିଶେଷକରି ଲୋକସଭାରେ ସେ ଯେଉଁଭଳି ଭାବେ ଦେଶର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଓ ବିଭିନ୍ନ ବର୍ଗର ସମସ୍ୟା ଉପସ୍ଥାପନା କରୁଛନ୍ତି ତାହା ଦେଶର ଯୁବ ନେତୃତ୍ୱ ପାଇଁ ଶୁଭ ସଂକେତ ବୋଲି ରାଷ୍ଟ୍ରୀୟ ଯୁବ କଂଗ୍ରେସର ନବନିଯୁକ୍ତ ସାଧାରଣ ସମ୍ପାଦକ ଡ. ସ୍ମୃତିରଞ୍ଜନ ଲେଙ୍କା ପ୍ରକାଶ କରିଛନ୍ତି । ଓଡିଶାରୁ ଏକମାତ୍ର ଯୁବନେତା ଭାବେ ରାଷ୍ଟ୍ରୀୟ ଯୁବକଂଗ୍ରେସ କମିଟିରେ ସାଧାରଣ ସମ୍ପାଦକ ଭାବେ ସ୍ଥାନ ପାଇଥିବାରୁ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀ ମଲିକା ଅର୍ଜୁନ ଖଡଗେ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ ଓ ଏଆଇସିସିର ପୂର୍ବତନ ସଚିବ ଡ.ବିଶ୍ଵରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ ରାଜ୍ୟ ଯୁବ କଂଗ୍ରେସର ସମସ୍ତ ସାଥିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନିଜ ପ୍ରତିକ୍ରିୟାରେ ଡ. ଲେଙ୍କା କହିଛନ୍ତି, ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସେ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ଆଗାମୀ ଦିନରେ ସାରା ରାଜ୍ୟରେ ତଥା ଦେଶରେ ଯୁବ ବର୍ଗଙ୍କୁ ସଂଗଠିତ କରି ଗଣତାନ୍ତ୍ରିକ ରାଷ୍ଟ୍ରର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କ ଲଢେଇକୁ ଅଧିକ ଶାଣିତ କରିବା ତାଙ୍କର ପ୍ରାଥମିକତା ହେବ । ସୂଚନାଯୋଗ୍ୟ, ଡ. ଲେଙ୍କା ପୂର୍ବରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ରହିଥିଲେ। ଏବେ ସେ ଆସାମ ଓ ଅରୁଣାଚଳ ପ୍ରଦେଶ ଯୁବ କଂଗ୍ରେସର ପ୍ରଭାରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରୀୟ ଯୁବ କଂଗ୍ରେସ କମିଟିର 14 ଜଣିଆ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ସାମିଲ କରି ଦଳ ପୁନର୍ବାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏଥିପାଇଁ ସମର୍ଥକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।