ଓଡ଼ିଶାରାଜନୀତି

କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ
GST ଛାଡ଼ କରାଯାଉ : ବିଜେଡି

ଓଡ଼ିଶାରେ ପ୍ରତି ମାସରେ ହେବାକୁ ଥିବା ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀକୁ କେନ୍ଦ୍ର ସରକାର ଭରଣା କରିବା ଦରକାର

ଭୁବନେଶ୍ୱର, ୦୪/୦୯/୨୦୨୫: କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା GST ସ୍ଲାବ୍ ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ GST ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି । ଏହାଛଡା ନୂତନ ସ୍ଲାବ GST ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି ।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ନିରଞ୍ଜନ ପୂଜାରୀ GST ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ । ଶ୍ରୀ ମିଶ୍ର କହିଥିଲେ, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ GST ସମ୍ପୂର୍ଣ୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ GST ଛାଡ଼ ପାଇଁ ଚିଠି ଲେଖିଥିଲେ । GST ର ନୂତନ ସ୍ଲାବ ଅନୁଯାୟୀ କେନ୍ଦୁପତ୍ର ଉପରେ GST କୁ ୧୮%ରୁ ୫%କୁ ଖସାଇ ଦିଆଯାଇଛି । କିନ୍ତୁ, ଏହା କମିଥିଲେ ମଧ୍ୟ କେନ୍ଦୁପତ୍ର ତୋଳାଳୀଙ୍କୁ ବିଶେଷ ଫାଇଦା ମିଳିବ ନାହିଁ । କେନ୍ଦୁପତ୍ର ତୋଳାଳୀ ମାନେ କୌଣସି ସୁବିଧା ପାଇବେ ନାହିଁ ।

ଶ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦୁପତ୍ର ଭଳି ହ୍ୟାଣ୍ଡଲୁମ କ୍ଷେତ୍ରରେ ମଧ୍ୟ ବୁଣାକାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି GST ଛାଡ଼ ପାଇଁ ବିଜେଡି ତରଫରୁ ଦାବି ହୋଇ ଆସୁଥିଲା । ଟେକ୍ସଟାଇଲ କ୍ଷେତ୍ରରେ ପାୱାରଲୁମ ଓ ହ୍ୟାଣ୍ଡଲୁମ ରହିଛି । ପାୱାରଲୁମରେ ଶିଳ୍ପପତି ମାନେ ସମ୍ପୃକ୍ତ ଥିବାବେଳେ ହ୍ୟାଣ୍ଡଲୁମରେ ଗରିବ ବୁଣାକାର ମାନେ ରହିଛନ୍ତି । ସେମାନେ ବିଭିନ୍ନ ସୂତା ଶାଢ଼ୀ, ପାଟ ଶାଢ଼ୀ ଇତ୍ୟାଦି ଜିନିଷ ତିଆରି କରିଥାନ୍ତି । ଏହି ଗରିବ ଶ୍ରେଣୀର ବୁଣାକାର ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ GST ଛାଡ଼ ପାଇଁ ଦାବି ହୋଇ ଆସୁଥିଲା। କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ୫% GST ରହିଛି । ତେଣୁ ଉଭୟ କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଟେକ୍ସଟାଇଲ ଉପରୁ ସମ୍ପୂର୍ଣ୍ଣ GST ଛାଡ଼ ପାଇଁ ବିଜୁ ଜନତା ଦଳ ଆଉଥରେ ଦାବି କରୁଛି ।

Related Articles

Back to top button