ଫୁଣି ଜଗନ୍ନାଥ ପରମ୍ପରାର ଅବମାନନା କଲା ଇସ୍କନ, ନିୟମ ଉଲଂଘନ କରି ଅଦିନିଆ ରଥଯାତ୍ରା

ଭୁବନେଶ୍ୱର, ୧୫ ଅକ୍ଟୋବର : ଫୁଣି ବିବାଦ ଘେରରେ ଇସ୍କନ, ଅଦିନିଆ ରଥଯାତ୍ରା ସହ ନିୟମ ଉଲଘଂନ କରି ବିବାଦକୁ ଆସିଛି ଇସ୍କନ। ଇସ୍କନର ନିୟମ ଉଲଂଘନ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । ବାରମ୍ବାର ତାଗିତ ସତ୍ତ୍ୱେ ଜଗନ୍ନାଥଙ୍କ ପରମ୍ପରାକୁ ଅମାନ୍ୟ କରୁଛି ଇସ୍କନ ।
ଋଷିକେଷରେ ଥିବା ମଧୁବନ ଆଶ୍ରମ ଦ୍ୱାରା ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଅଦିନରେ ଆୟୋଜନ କରାଯାଇଛି | ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂ ସଭା ରେଲୱ ରୋଡ ପର୍ଯ୍ୟନ୍ତ ଏହି ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା | ରଥଯାତ୍ରା ପାଇଁ ଏକ ନିର୍ଦ୍ଦିଷ୍ଟ ବିଧି ପରମ୍ପରା ଥିବାବେଳେ ଏହାକୁ ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି । ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।
ଏହି ଘଟଣା ଧାର୍ମିକ ମହଲ ଏବଂ ଜନସାଧାରଣଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରମ୍ପରା ଅନୁଯାୟୀ, ରଥଯାତ୍ରା କେବଳ ମନ୍ଦିର (ପୁରୀ) ଦ୍ୱାରା ସମ୍ପୂର୍ଣ୍ଣ ରୀତିନୀତି ସହିତ ପରିଚାଳିତ ହୋଇପାରିବ। ଅନ୍ୟ କୌଣସି ଅନୁଷ୍ଠାନ କିମ୍ବା ସଂସ୍ଥା ଏହାକୁ ପାଳନ କରିପାରିବେ ନାହିଁ ଏବଂ ପରମ୍ପରା ଉଲ୍ଲଂଘନ କରିପାରିବେ ନାହିଁ।
ଏହି ପରିପ୍ରେକ୍ଷୀରେ, ଅନେକ ଧାର୍ମିକ ସଂଗଠନ ଏବଂ ବ୍ୟକ୍ତି ଇସ୍କନ୍ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର ପ୍ରଶାସନ ଉପରେ ଚାପ ପକାଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଏପରି ଅନୁଷ୍ଠାନ ପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ସ୍ୱରୂପ ଏବଂ ପୂଜାକୁ ଅପମାନ ଏବଂ ବିକୃତ କରୁଛନ୍ତି।
ଧାର୍ମିକ ପ୍ରତିଷ୍ଠାନ ଅନୁଯାୟୀ, ଏପରି କାର୍ଯ୍ୟ ଭକ୍ତଙ୍କ ବିଶ୍ୱାସକୁ ପ୍ରଶ୍ନ କରୁଥିବାରୁ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ମନ୍ଦିର ପ୍ରଶାସନ କି ପଦକ୍ଷେପ ନେବ ତାହା ଆଗାମୀ ଦିନରେ ପ୍ରକାଶ ପାଇପାରେ।