
ଭୁବନେଶ୍ୱର, ୧୫ ଅକ୍ଟୋବର : ନୂଆପଡା ଉପନିର୍ବାଚନ ପାଇଁ କାଲି ନାମାଙ୍କନ ଭରିବ ବିଜେପି। ତେବେ ବିଜେପି ନିଜର ପ୍ରାର୍ଥୀ ଭାବେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କ ଚୟନ କରିଛି । ସୂଚନାନୁସାରେ ଆସନ୍ତାକାଲି ଅପରାହ୍ଣ ୨ଟା ୪୫ ମିନିଟ୍ ସମୟରେ ନାମାଙ୍କନ କରିବେ ଜୟ ଢୋଲକିଆ ।
ନାମାଙ୍କନ ଭରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଏହାସହ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ । ବୋଲି ଏକ ପ୍ରେସ ବାର୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।
ସେ ଆହୁରି ମଧ୍ୟ କହିଛନ୍ତି ଜୟ ଢୋଲକିଆ ଏକ ବିଶାଳ ରାଲିରେ ନିଜର ନାମାଙ୍କନ ଦାଖଲ କରିବେ ଯେଉଁଥିରେ ୪୦ ହଜାରରୁ ଅଧିକ ଦଳୀୟ କର୍ମୀ ଏବଂ ସମର୍ଥକ ଯୋଗଦେବେ। ଏହା ପୂର୍ବରୁ, ନୂଆପଡାରେ ବିଜେପି ପକ୍ଷରୁ ସକାଳ ୧୧:୩୦ ରେ ଏକ ମହା ମିଶ୍ରଣ ଭୋଜି ଅନୁଷ୍ଠିତ ହେବ। ନୂଆପଡାର ଶହେରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଦସ୍ୟ, ପୂର୍ବତନ ସରପଞ୍ଚ ଏବଂ ସମିତି ସଦସ୍ୟ ବିଭିନ୍ନ ଦଳ ଛାଡି ବିଜେପିରେ ଯୋଗଦେବେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ନୂଆପଡାରେ ପହଞ୍ଚି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳନା ପାଇଁ ବ୍ୟବସ୍ଥା କରୁଛନ୍ତି।
ତେବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ଏକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ବିଧିବଦ୍ଧ ଭାବରେ ୧୮ରେ ସମ୍ପୂର୍ଣ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କଂଗ୍ରେସ ସୂଚନା ଦେଇଛି । ଏହା ସହ ବିଜେଡି ନିଜର ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ, ଖୁବଶୀଘ୍ର ଘୋଷଣା କରିବା ବୋଲି ଚର୍ଚ୍ଚା ଜୋର ଧରୁଛି।