ଓଡ଼ିଶା

ଶେଖରଙ୍କ ଗୁମର ଖୋଲିଲା ସିସିଟିଭି

ନାରାୟଣପାଟଣା () କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସ୍‌ବିଆଇ ଶାଖାରୁ ସୁନାଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଏହି ଘଟଣାରେ ପୋଲିସ୍ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆଙ୍କୁ ଗିରଫ କରିଛି। ଏହା ସହିତ ନାରାୟଣପାଟଣା ଥାନା ଅଧୀନ ତାଙ୍କ ବିକ୍ରମପୁର ଘରୁ ୧ କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରିଛି।

ଲକ୍ଷ୍ମୀପୁର ଏସ୍‌ବିଆଇ ଲକରରୁ ଗ୍ରାହକମାନଙ୍କର ୧୬୧୦.୬୯ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଗତ ୧୪ ତାରିଖରେ ଶାଖା ପରିଚାଳକ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ଲକ୍ଷ୍ମୀପୁର ଥାନା ପୋଲିସ୍ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ଆଉ ଏଥିରୁ ଧରା ପଡ଼ିଯାଇଥିଲେ ଶେଖର କୁଳଦିପିଆ।

ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ, ୪୩ ବର୍ଷୀୟ ଶେଖର ଲକ୍ଷ୍ମୀପୁର ଏସ୍‌ବିଆଇର ମେସେଞ୍ଜର ଭାବେ ୨୦୧୪ ରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। କିନ୍ତୁ ଦୁର୍ବ୍ୟବହାର ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା। କିନ୍ତୁ ସେ ବରାବର ଏହି ବ୍ୟାଙ୍କକୁ ଆସୁଥିଲେ। ମେସେଞ୍ଜର ଥିବା ସମୟରେ ସେ ବ୍ୟାଙ୍କର ସମସ୍ତ ବିଷୟରେ ଅବଗତ ଥିଲେ। ଷ୍ଟ୍ରଙ୍ଗ ରୁମ୍‌ ଓ ଆଇରନ୍ ଚେଷ୍ଟର ଚାବି କେଉଁଠି ରହେ ବି ସେ ଜାଣିଥିଲେ।

ବ୍ୟାଙ୍କର ମେସେଞ୍ଜର ଚାକିରି ହରାଇବା ପରେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ତେଣୁ ସେ ବ୍ୟାଙ୍କରୁ ସୁନାଗହଣା ଲୁଟ୍ କରିବାକୁ ଉପାୟ ପାଞ୍ଚି ଥିଲେ। ନିଜ ଯୋଜନା ମୁତାବକ ଗତ ବର୍ଷ ନଭେମ୍ବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଶେଖର ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ ଭିତରେ ଏଣେତେଣେ ବୁଲିଥିଲେ। ସୁବିଧା ଦେଖି ସେ ବ୍ୟାଙ୍କର ସର୍ଭର ରୁମ୍‌କୁ ପଶି ଯାଇଥିଲେ। ସେ ସେଠାରେ ନିଜକୁ ଆବଦ୍ଧ କରି ରଖିଥିଲେ। ରାତି ପ୍ରାୟ ୮ଟା ବେଳେ ମ୍ୟାନେଜର ଓ ଅନ୍ୟ କର୍ମଚାରୀ ବ୍ୟାଙ୍କରେ ତାଲା ପକାଇ ଘରକୁ ପଳାଇଥିଲେ। ଏହା ପରେ ଶେଖର କୁଳଦିପିଆ ସର୍ଭର ରୁମ୍‌ରୁ ବାହାରିଥିଲେ ଏବଂ ଶାଖା ପରିଚାଳକଙ୍କ ରୁମ୍‌କୁ ଯାଇ ଷ୍ଟ୍ରଙ୍ଗ ରୁମ୍ ଓ ଆଇରନ୍ ଚେଷ୍ଟର ଚାବି ଖୋଜି ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com