
ଭୁବନେଶ୍ୱର ,ଫସିଲେ ପଞ୍ଜାବର ପୂର୍ବତନ ପୋଲିସ୍ ଡିଜି ମହମ୍ମଦ ମୁସ୍ତାଫା। ଗତ ୧୬ ଅକ୍ଟୋବରରେ ମହମ୍ମଦ ମୁସ୍ତାଫାଙ୍କ ୩୫ ବର୍ଷୀୟ ପୁଅ ଅକିଲ ଅଖ୍ତାରଙ୍କ ମୃତ ଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଥିଲା।ପୁଅକୁ ହତ୍ୟା ଅଭିଯୋଗ ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ପତ୍ନୀ ତଥା ପଂଜାବର ପୂର୍ବତନ ମନ୍ତ୍ରୀ ରଜିୟା ସୁଲ୍ତାନା ଏବଂ ତାଙ୍କ ଝିଅ ଓ ଜ୍ବାଇଁଙ୍କ ବିରୋଧରେ ବି ହରିୟାଣା ପୋଲିସ୍ ରୁଜୁ କରିଛି ହତ୍ୟା ମାମଲା।
ମୃତ୍ୟୁ ପରେ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ। ପୋଷ୍ଟ ମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏହାପରେ ଜଣେ ଅଭିଯୋଗକାରୀ
ଏନେଇ ଥାନାରେ ଏକ ଅଭିଯୋଗ କରିବା ସହ ସଂପୃକ୍ତ ବ୍ୟକ୍ତି ଏକ ଭିଡିଓ ଦେଖାଇଥିଲେ।
ଭିଡିଓକୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ନିଜେ ଅକିଲ୍ ଅଖତାର। ସେହି ଭିଡିଓରେ ସେ ନିଜ ପରିବାର ବିରୋଧରେ ସଂଗୀନ ଆଭିଯୋଗ ଆଣିଥିଲେ।
ଆଉ ସେହି ଅଭିଯୋଗ ପତ୍ରରେ ଜୀବନ ପ୍ରତି ବିପଦ ଥିବା ଅଖ୍ତାର ସୂଚାଇଥିଲେ। ଏବେ ହରିୟାନା ପୋଲିସ ମହମ୍ମଦ ମୁସ୍ତାଫା ଓ ତାଙ୍କ ପୂରା ପରିବାର ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏଥିପାଇଁ ସ୍ବତନ୍ତ୍ର ଇନଭେଷ୍ଟିଗେଟିଭ୍ ଟିମ୍ ମଧ୍ୟ ଗଠନ କରାଯାଇଛି।