ଓଡ଼ିଶାବାଣିଜ୍ୟ

ଓଡ଼ିଶାରେ ବେଦାନ୍ତର ମେଗା ନିବେଶ, ଢେଙ୍କାନାଳରେ ଏକ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ

 

ଭୁବନେଶ୍ୱର, ୨୪ ଅକ୍ଟୋବର : ଓଡ଼ିଶାରେ ଶିଳ୍ପ ଓ ଅର୍ଥନୈତିକ ଉନ୍ନୟନରେ ଏକ ନୂତନ ମାର୍କ ସୃଷ୍ଟି ହେବାକୁ ଯାଉଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଚାଲିଥିବା ଏହି ବୈଠକରେ ଓଡ଼ିଶାରେ ଭବିଷ୍ୟତ ଶିଳ୍ପ ନିବେଶ ଓ ପ୍ରକଳ୍ପ ନେଇ ବିସ୍ତୃତ ଆଲୋଚନା ହୋଇଛି।

ଏହି ବୈଠକରୁ ଜଣାପଡ଼ିଛି ଯେ, ବେଦାନ୍ତ ଗ୍ରୁପ୍ ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ଆଲୁମିନିୟମ ପ୍ରକଳ୍ପ ସ୍ଥାପନ କରିବ। ଏହା ମାଧ୍ୟମରେ ୧ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅନୁମାନ। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଆଧାରଭୂତ ସୁବିଧା ଯୋଗାଇବ।

ବେଦାନ୍ତ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ୨,୦୦୦ କୋଟି ଟଙ୍କା ମୂଲ୍ୟର ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି। ଏହାସହ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟ ନିକଟରେ ଏକ ନୂଆ ଆଲୁମିନିୟମ ପାର୍କ ସ୍ଥାପନ ହେବାକୁ ଯାଉଛି, ଯାହା ପାଇଁ ୫୦ ଏକର ଜମି ଅଧିଗ୍ରହଣ ହୋଇସାରିଛି। ଏହା ସହିତ ଆଉ ଗୋଟିଏ ଆଲୁମିନିୟମ ପାର୍କ ଢେଙ୍କାନାଳରେ ହେବ ବୋଲି ଅନୁମାନ, ଯାହା ପାଇଁ ପ୍ରାୟ ୧୨୦୦ ଏକର ଜମି ଆବଶ୍ୟକ ହେବ।

ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ପ୍ରସ୍ତୁତ ହେବାକୁ ଥିବା ଆଲୁମିନିୟମ ମିଶ୍ରଧାତୁ ଏରୋସ୍ପେସ୍‌, ଇଲେକ୍ଟ୍ରିକ୍ ଯାନ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେବାକୁ ସମ୍ଭାବନା ରହିଛି।

ଅନିଲ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି, “ଢେଙ୍କାନାଳ ପ୍ରକଳ୍ପ ପାଇଁ ଆସନ୍ତା ମାସରେ ପ୍ରାୟ ୪୦୦ ଏକର ଜମି ମିଳିବ। ତିନିରୁ ଚାରି ମାସ ମଧ୍ୟରେ ୩ ମିଲିଅନ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ସମସ୍ତ ମଞ୍ଜୁରି ମିଳିବ ବୋଲି ଆଶା। ଜମି ମିଳିଲେ ସହସ୍ରେ କାମ ଆରମ୍ଭ ହେବ। ଏହାରେ ୩୦ରୁ ୪୦ ହଜାର ଲୋକ କାମ କରିପାରିବେ ଏବଂ ୩ ରୁ ୩.୫ ବର୍ଷ ମଧ୍ୟରେ ପ୍ଲାଣ୍ଟ ପୂର୍ଣ୍ଣ ହେବ।”

ନିୟମଗିରି ବକ୍ସାଇଟ୍ ଖଣି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ମାସକ ମଧ୍ୟରେ ଗ୍ରାମସଭା ଆୟୋଜନ କରାଯିବ। ବେଦାନ୍ତ ପକ୍ଷରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଓ ବିଦେଶରୁ ବକ୍ସାଇଟ୍ ଆଣାଯାଉଛି, ଯେତେବେଳେ ନିୟମଗିରି ଖଣି ଚାଲୁ ହେଲେ ରାଜ୍ୟ ନିଜ ସଂସାଧନରେ ନିର୍ଭର ହୋଇପାରିବ।

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ଓଡ଼ିଶା ଏବେ ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଗ୍ଲୋବାଲ୍ ହବ୍‌ ହେବାକୁ ପ୍ରସ୍ତୁତ। ଏହା ରାଜ୍ୟର ଯୁବବର୍ଗ ପାଇଁ ବିଶାଳ ନିଯୁକ୍ତି ସୁଯୋଗ ଓ ଅର୍ଥନୈତିକ ଅଭିବୃଦ୍ଧି ଆଣିବ। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବା ଆମ ଲକ୍ଷ୍ୟ।”

ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ।

Related Articles

Back to top button