
ଭୁବନେଶ୍ୱର , ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି ଦୁଗ୍ଧଜାତ ଦ୍ରବ୍ୟ ।ଏହାର ସୁଯୋଗ ନେଇ, ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଲେଣି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର୍ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ସ୍କିମ୍ଡ ମିଲ୍କ ପାଉଡର(ଏସ୍ଏମ୍ପି) କୁହାଯାଉଥିବା, ଏହି ସାମଗ୍ରୀରେ ମିଲ୍କ ଫ୍ୟାଟ୍ ବଦଳରେ ଭେଜିଟେବଲ୍ ଫ୍ୟାଟ୍ ମିଶାଯାଉଛି। ନକଲି ଛେନା, ପନିର ପ୍ରସ୍ତୁତ ପାଇଁ ନାଇଟ୍ରିକ୍ ଏସିଡ୍ ବ୍ୟବହାର ହେଉଛି। ଏହାକୁ ଖାଇଲେ ଶରୀରରେ, ହରମୋନ୍ଜନିତ ଅସନ୍ତୁଳନ ଭଳି ରୋଗ ଦେଖାଦିଏ। ବିଶେଷ କରି ରାଜଧାନୀ ବଜାରକୁ ସିନ୍ଥେଟିକ୍ ପନିର, କବ୍ଜା କରି ସାରିଥିବା ଅଭିଯୋଗ ହେଉଛି। ଲୋକଙ୍କୁ ଆବଶ୍ୟକ ପରିମାଣର କ୍ଷୀର ମିଳୁ ନଥିବା ବେଳେ, ପ୍ରଚୁର ପରିମାଣର ପନିର ଏପରି ସନ୍ଦେହ ପାଇଁ ବାଧ୍ୟ କରୁଛି। ଏହି ଅପମିଶ୍ରିତ କ୍ଷୀର, ଛେନା, ପନିର ଆଦି ଓଡ଼ିଶାକୁ ଆସିବା ପଛରେ ଏକ ଅନ୍ତଃରାଜ୍ୟ ରୢାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି। ଯେଉଁମାନେ କି ୟୁପି, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ, ଛତିଶଗଡ଼ରୁ ଏହି କ୍ଷୀର ପାଉଡର୍ ଆଣି ଓଡ଼ିଶାରେ ପନିର ଓ ଛେନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହି ଛେନା, ପନିର ଶସ୍ତା ଓ ଲାଭଜନକ ହୋଇଥିବାରୁ ଓଡ଼ିଶାର କେତେକ ବେପାରୀ ଏହାକୁ ସେମାନଙ୍କ ବୃତ୍ତି କରିସାରିଲେଣି। ରାଜଧାନୀ ଉପକଣ୍ଠରେ ଥିବା ପୁରୀଜିଲ୍ଲା, ପିପିଲି ଅଞ୍ଚଳ ଏଭଳି ପାଉଡର୍ର ପେଣ୍ଠସ୍ଥଳ ପାଲଟିଛି। ଏବେ ଓଡ଼ିଶାରେ ବି ଏହି ପାଉଡର ପ୍ରସ୍ତୁତ ହେଲାଣି।




