
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୧୯ ତାରିଖରେ ଏହି ପଦବୀ ପାଇଁ ନାମାଙ୍କନ ଦାଖଲ କରାଯିବ । ଜାନୁଆରୀ ୨୦ରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିବ ବି.ଜେ.ପି. । ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୬ରେ ନିର୍ବାଚକ ମଣ୍ଡଳୀ ମତଦାତାଙ୍କ ତାଲିକା ପ୍ରକାଶ କରିବ । ଜାନୁଆରୀ ୧୯ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ହେବା ପରେ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ ହେବ । ସେହିପରି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି ।
ବର୍ତ୍ତମାନ ନୀତିନ ନବୀନ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ୨୦୨୫ ଡିସେମ୍ବର ୧୪ରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେହି ଦିନଠାରୁ ନବୀନ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଆସୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ପାଇଁ ନୀତିନ ନବୀନ ମଧ୍ୟ ନାମାଙ୍କନ ଭରିବେ । ସେ ହିଁ ନିର୍ବାଚିତ ହେବାର ସବୁଠୁ ଅଧିକ ସମ୍ଭାବନା ରହିଛି । ଜାନୁଆରୀ ୨୦ରେ ବିଜେପି ଶାସିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କୁ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।




