
ଭୁବନେଶ୍ୱର ,ଦର୍ଶକଙ୍କୁ ଫୁଲ୍ ହରର୍ ଅନୁଭବ ଦେବ ସିନେମା “ମିଡ୍ନାଇଟ୍’ । ଏହାର ମ୍ୟୁଜିକ୍ ଏବଂ ଟ୍ରେଲର୍ ରିଲିଜ୍ ହୋଇଛି । ମନୁ ଦ୍ୱିବେଦୀ ଫିଲ୍ମସ୍ ନିବେଦିତ ଏହି ଚଳଚ୍ଚିତ୍ରରେ ମନୁ ନିଜେ ନିର୍ଦ୍ଦେଶନା ଦେଇଥିବା ବେଳେ ନାୟକ ଭୂମିକାରେ ଅବତୀର୍ଣ୍ଣ । ଏଥିରେ ସେ ଦ୍ୱୈତ ଭୂମିକାରେ ଅଭିନୟ କରୁଛନ୍ତି । ବାପା ଏବଂ ପୁଅ ଉଭୟ ଚରିତ୍ରରେ ତାଙ୍କର ଦମ୍ଦାର୍ ଅଭିନୟ ଦର୍ଶକଙ୍କୁ ବେଶ୍ ଥ୍ରୀଲର୍ ଅନୁଭୂତି ପ୍ରଦାନ କରିବ ।ସିନେମାରେ ୨ଟି ଗୀତ ରହିଥିବା ବେଳେ “ମାୟାବିନୀ ଏ ଅନ୍ଧାର ରାତି…’ ଶୀର୍ଷକ ଗୀତ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ । ଏହି ଗୀତଟିକୁ ଡା. ନିର୍ମଳ ନାୟକ ରଚନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ଓଲିଉଡ୍ର ସବୁଠୁ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଗୀତର ପୃଷ୍ଠଭୂମି ଯେପରି ଭୟାନକ ହୋଇଛି, ଏହାର ସ୍ୱର ସଂଯୋଜନା ମଧ୍ୟ ଅତ୍ୟନ୍ତ ଲୋମହର୍ଷଣକାରୀ ହୋଇଛି । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସଂଯୋଜନାରେ ପ୍ରସ୍ତୁତ ଗୀତ ଏକ ଆତ୍ମାର କାହାଣୀକୁ ଖୁବ୍ ଭୟଙ୍କର ଭାବେ ଦର୍ଶାଉଛି । ଅନୁପ ଦ୍ୱିବେଦୀଙ୍କ ରଚିତ ଏହି କାହାଣୀରେ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ମନୁଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା, ଅକ୍ଷୟ ବସ୍ତିଆ, ବୀରେନ ମିଶ୍ର, ଡାଏନା, ଆଲିଆ, ପ୍ରିୟା, ସସ୍ମିତା ଓ ସୁଧାଂଶୁବାଳା ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ।



