
ଭୁବନେଶ୍ବର,୦୯/୦୨/୨୦୨୬:ଓଲିଉଡ୍ର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସାତ୍ୟକି ନିଜର ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ପୈତୃକ ସମ୍ପତ୍ତି ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ପରିବାର ମଧ୍ୟରେ ଲାଗିରହିଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।
ସୂଚନା ଅନୁଯାୟୀ, ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ର ମାଲିକାନାକୁ ନେଇ ଦୀର୍ଘ ଦିନ ହେବ କଳହ ଚାଲିଛି। ଅଭିଯୋଗ ହୋଇଛି ଯେ, ଗତ ୬ ତାରିଖରେ ବିରୋଧୀ ପକ୍ଷ ଘରେ ପଶି ସାତ୍ୟକିଙ୍କ ବୃଦ୍ଧ ବାପାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସେ ପୂର୍ବରୁ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେ କହିଛନ୍ତି।
ଥାନାରୁ ସଠିକ୍ ସହଯୋଗ ନମିଳିବାରୁ ଶେଷରେ ସାତ୍ୟକି ମିଶ୍ର କଟକ ଡିସିପିଙ୍କୁ ଭେଟିଛନ୍ତି। ସେ ନିଜ ପରିବାରର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ଡିସିପିଙ୍କ ନିକଟରେ ଗୁହାରି କରିଛନ୍ତି।




