
ଭୁବନେଶ୍ୱର,୧୦/୦୨/୨୦୨୬:ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କର ଦରମା ବୃଦ୍ଧି କରାଯାଇଥିବା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ କାର୍ଯ୍ୟ କରୁଥିବା ହଜାର ହଜାର ଆୟୁଷ ଡାକ୍ତର ଉପକୃତ ହେବେ।
ନୂତନ ସଂଶୋଧନ ଅନୁଯାୟୀ, ଡାକ୍ତରମାନଙ୍କ ବରିଷ୍ଠତା ଭିତ୍ତିରେ ଦରମା ପରିମାଣ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ବର୍ତ୍ତମାନ ଆୟୁଷ ଡାକ୍ତରମାନଙ୍କର ସର୍ବନିମ୍ନ ଦରମା ୫୬,୯୪୮ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବରିଷ୍ଠ ଆୟୁଷ ଡାକ୍ତରଙ୍କ ଦରମା ପୂର୍ବ ଅପେକ୍ଷା ୪୦ ହଜାର ଟଙ୍କା ଅଧିକ ହୋଇ ଏବେ ୯୧,୪୬୭ ଟଙ୍କାରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବର୍ତ୍ତମାନ ମୋଟ ୨,୯୧୨ ଜଣ ଆୟୁଷ ଡାକ୍ତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉନ୍ନତି ଆସିବା ସହ ଡାକ୍ତରମାନେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।




