ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପକ୍ଷପାତିତା ଅଭିଯୋଗ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୧୧/୦୨/୨୦୨୬: ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ବିରୋଧୀ ଦଳ ପକ୍ଷରୁ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରାଯାଇଛି। ଓମ୍ ବିର୍ଲା ଗୃହ ପରିଚାଳନା ସମୟରେ ଖୋଲାଖୋଲି ଭାବେ ପକ୍ଷପାତିତା କରୁଛନ୍ତି ଏବଂ ନିଜର ସାମ୍ବିଧାନିକ ପଦବୀର ଦୁରୁପଯୋଗ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ବିଶେଷ କରି କଂଗ୍ରେସ ସଦସ୍ୟଙ୍କ ବିରୋଧରେ ସେ ମିଥ୍ୟା ଓ ଅପମାନଜନକ ଅଭିଯୋଗ ଆଣିଥିବା ନୋଟିସରେ ଦର୍ଶାଯାଇଛି।
ସମ୍ବିଧାନର ଅନୁଚ୍ଛେଦ ୯୪(ସି) ଅନୁଯାୟୀ, କଂଗ୍ରେସ ଉପନେତା ଗୌରବ ଗୋଗୋଇ, ମୁଖ୍ୟ ହୁଇପ୍ କେ. ସୁରେଶ ଏବଂ ମହମ୍ମଦ ଜାୱେଦ ଲୋକ ସଭା ମହାସଚିବ ଉତ୍ପଳ କୁମାର ସିଂଙ୍କ ନିକଟରେ ଏହି ନୋଟିସ ପ୍ରଦାନ କରିଛନ୍ତି। ଏଥିରେ କଂଗ୍ରେସ, ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି ଏବଂ ଶିବସେନା (ୟୁବିଟି) ସମେତ ବିଭିନ୍ନ ବିରୋଧୀ ଦଳର ପ୍ରାୟ ୧୨୦ ଜଣ ସାଂସଦ ସ୍ୱାକ୍ଷର କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ନଦେବା ଏବଂ ୮ ଜଣ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅନାସ୍ଥା ପ୍ରସ୍ତାବ ଆସିବା ପରେ ନୈତିକତା ଦୃଷ୍ଟିରୁ ଏହି ପ୍ରସଙ୍ଗର ବିଚାର ଶେଷ ନହେବା ପର୍ଯ୍ୟନ୍ତ ଓମ୍ ବିର୍ଲା ଗୃହକାର୍ଯ୍ୟ ପରିଚାଳନା କରିବେ ନାହିଁ ବୋଲି ସୂଚନା ମିଳିଛି। ସେ ସଂସଦୀୟ ନିୟମାବଳୀ ଅନୁଯାୟୀ ନୋଟିସର ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ମହାସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ସଭା ସଚିବାଳୟ ଅନୁଯାୟୀ, ଯଦି ଏହି ପ୍ରସ୍ତାବ ଗୃହରେ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୁଏ, ତେବେ ବାଚସ୍ପତିଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇପାରିବ।




