ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

ସବୁଜ ସୁନ୍ଦର ହେବ ରାଜଧାନୀ: ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ BMC ଓ NALCO ମଧ୍ୟରେ ଚୁକ୍ତି

ଭୁବନେଶ୍ୱର ,୧୧/୦୨/୨୦୨୬ : ରାଜଧାନୀ ଭୁବନେଶ୍ୱରକୁ ଅଧିକ ସବୁଜ ଓ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସହରର ବ୍ୟସ୍ତବହୁଳ ଜୟଦେବ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ଭାଗ (Median) ଏବଂ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନାଲକୋ (NALCO) ଫାଉଣ୍ଡେସନ ଟ୍ରଷ୍ଟକୁ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ବିଏମ୍‌ସି ଏବଂ ନାଲକୋ ଫାଉଣ୍ଡେସନ୍ ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି।

ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଧୀନରେ ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ୍ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରାୟ ୨,୫୦୦ ବର୍ଗମିଟର୍ ପରିମିତ ମଧ୍ୟ ଭାଗକୁ ନୂଆ ରୂପ ଦିଆଯିବ। ଏହାସହିତ ଜୟଦେବ ବିହାର ଜଙ୍କସନ୍ ଚାରିପାଖରେ ଥିବା ପ୍ରାୟ ୧,୦୬,୫୨୪ ବର୍ଗମିଟର୍ ବିସ୍ତୃତ ଲ୍ୟାଣ୍ଡସ୍କେପ୍ ଅଞ୍ଚଳରେ ବ୍ୟାପକ ସବୁଜୀକରଣ କରାଯିବ। ଏହି ପ୍ରକଳ୍ପ ସହରର ପରିବେଶକୁ ସୁଧାରିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ଦୃଶ୍ୟମାନ ଆକର୍ଷଣ ସାଜିବ।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଏମ୍‌ସି ପକ୍ଷରୁ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଏବଂ ନାଲକୋ ପକ୍ଷରୁ ଚିଫ୍ ଅପରେଟିଂ ଅଫିସର ଶ୍ରୀ ସୁବ୍ରତ କୁମାର କର ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ। ଖୁବଶୀଘ୍ର ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Related Articles

Back to top button