ଓଡ଼ିଶାଜାତୀୟରାଜନୀତି

ନୂତନ ଶ୍ରମ ସଂହିତା ଶ୍ରମିକଙ୍କ ହିତରେ; ‘ଭାରତ ବନ୍ଦ’କୁ ବିରୋଧ କଲା ବିଜେପି

ଭୁବନେଶ୍ୱର, ୧୨/୦୨/୨୦୨୬: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଚାରୋଟି ନୂତନ ଶ୍ରମ ସଂହିତାକୁ ନେଇ ଦେଶବ୍ୟାପୀ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ରାଜ୍ୟ ବିଜେପି ତୀବ୍ର ସମାଲୋଚନା କରିଛି। ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ଏହି ନୂତନ ଆଇନ ଶ୍ରମିକମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ। ବ୍ରିଟିଶ ଅମଳର ଜଟିଳ ୨୯ଟି ଆଇନକୁ ବଦଳାଇ ୪ଟି ସରଳ ଆଇନ ଅଣାଯାଇଛି, ଯାହା ଶ୍ରମିକମାନଙ୍କ ସାମାଜିକ ନ୍ୟାୟ ଓ ନୂତନ ରୋଜଗାର ସୃଷ୍ଟିରେ ସହାୟକ ହେବ। ଏହି ସଂସ୍କାରକୁ ବିରୋଧ କରୁଥିବା ଶ୍ରମିକ ସଂଗଠନ ଓ ସେମାନଙ୍କୁ ସମର୍ଥନ କରୁଥିବା ବିଜେଡି ଓ କଂଗ୍ରେସକୁ ସେ ‘ଶ୍ରମିକ ସ୍ୱାର୍ଥ ବିରୋଧୀ’ ବୋଲି ଅଭିହିତ କରିଛନ୍ତି।

ଶ୍ରୀ ବିଶ୍ୱାଳଙ୍କ ଅନୁଯାୟୀ, ନୂତନ ଶ୍ରମ ଆଇନରେ ଉଭୟ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦରମା ନିଶ୍ଚିତ କରାଯାଇଛି। ମହିଳାମାନଙ୍କ ପାଇଁ ପୂର୍ବରୁ ଥିବା ପ୍ରତିବନ୍ଧକ ଓ ତାରତମ୍ୟକୁ ହଟାଇ ସମାନ କାମ ପାଇଁ ସମାନ ସୁଯୋଗ ପ୍ରଦାନ କରାଯାଇଛି। ଏଥିସହ ଭବିଷ୍ୟନିଧି ପାଣ୍ଠି (PF), ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପଞ୍ଜିକୃତକୁ ବାଧ୍ୟତାମୂଳକ କରାଯାଇ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଦୃଢ଼ କରାଯାଇଛି। ଅନ୍‌ଲାଇନ୍ ଆପ୍‌ ମାଧ୍ୟମରେ କାମ କରୁଥିବା ଶ୍ରମିକମାନଙ୍କ ଅଧିକାରକୁ ମଧ୍ୟ ଏହି ନୂତନ କୋର୍ଡରେ ସ୍ଥାନ ଦିଆଯାଇଛି, ଯାହା ପୂର୍ବ ନିୟମରେ ନଥିଲା।

ସେ ଅଭିଯୋଗ କରିଛନ୍ତି ଯେ, କିଛି ହାତଗଣତି “ଆନ୍ଦୋଳନଜୀବୀ” ସଂଗଠନ ଓ ରାଜନୈତିକ ଦଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଯେଉଁମାନେ ଶ୍ରମିକମାନଙ୍କୁ ଦଶନ୍ଧି ଦଶନ୍ଧି ଧରି କେବଳ “ରାଜନୈତିକ ଟୁଲ୍‌କିଟ୍” ଭାବେ ବ୍ୟବହାର କରିଆସୁଥିଲେ, ସେମାନେ ଆଜି ଏହି ଭଲ ନିୟମକୁ ବିରୋଧ କରୁଛନ୍ତି। ପଶ୍ଚିମବଙ୍ଗର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏହି ସଂଗଠନଗୁଡ଼ିକର ରାଜନୀତି ଯୋଗୁଁ ଅତୀତରେ ହଜାର ହଜାର କାରଖାନା ବନ୍ଦ ହୋଇ ଶ୍ରମିକମାନେ ସର୍ବସ୍ୱ ହରାଇଛନ୍ତି। ଓଡ଼ିଶାର ଜନସାଧାରଣ ଏହି ବନ୍ଦ ଡାକରାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ବିଜେପି ମିଡିଆ ସେଲ୍ ପକ୍ଷରୁ କୁହାଯାଇଛି।

Related Articles

Back to top button