ଓଡ଼ିଶାରାଜନୀତି

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍‌-ଶୋ’: ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ସହ ଜିଲ୍ଲା ପାଇଁ ବଡ଼ ଘୋଷଣା

ନବରଙ୍ଗପୁର, ୧୪/୦୨/୨୦୨୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସ୍ଥାନୀୟ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଘୋଷଣା କରିବା ସହ ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଏଣିକି କେହି ବଞ୍ଚିତ ହେବେ ନାହିଁ। ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସ୍କ ବୃଦ୍ଧବୃଦ୍ଧା ଓ ବିଧବାମାନଙ୍କୁ ସରକାରୀ ଖର୍ଚ୍ଚରେ ପୁରୀ ନିଆଯିବ। ମୁଖ୍ୟମନ୍ତ୍ରୀ ନିଜେ ପତାକା ଦେଖାଇ ୧୪୮ ଜଣ ତୀର୍ଥଯାତ୍ରୀଙ୍କୁ ପୁରୀ ଅଭିମୁଖେ ବିଦାୟ ଦେଇଥିଲେ।

ଜିଲ୍ଲାର ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୭ ସୁଦ୍ଧା ‘ମିଶନ ପାୱାର’ ମାଧ୍ୟମରେ ସମସ୍ତ ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ। ରେଳପଥ ପ୍ରସଙ୍ଗରେ ସେ କହିଛନ୍ତି ଯେ ନବରଙ୍ଗପୁର-ଜୁନାଗଡ଼ ଓ ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏଥିପାଇଁ ସେ ଖୁବଶୀଘ୍ର ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ଭେଟିବେ। ଏଥିସହ ଜୟପୁର-ଗୋପାଳପୁର ଓ ଜୟପୁର-ନବରଙ୍ଗପୁର ମଧ୍ୟରେ ଏକ ୬-ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଛି। ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉପସ୍ଥିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ପ୍ରତି ପଞ୍ଚାୟତରେ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ ପ୍ରତିଷ୍ଠା ହେବ ଏବଂ ଏଥିପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା, ଶ୍ରବଣ ଯନ୍ତ୍ର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ। ତେବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ, ନବରଙ୍ଗପୁର ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ ଓ ସମ୍ବଲପୁରରୁ ଆସିଥିବା ପ୍ରାୟ ୫୦୦ ତୀର୍ଥଯାତ୍ରୀ ପୁରୀରେ ପହଞ୍ଚିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ‘ବୃନ୍ଦାବତୀ ନିବାସ’ଠାରେ ଭବ୍ୟ ସ୍ୱାଗତ କରାଯାଇଛି। ଶନିବାର ଏହି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button