ଜାତୀୟରାଜନୀତି

ଆସାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ପ୍ରକଳ୍ପର ଶୁଭାରମ୍ଭ: ଉଦଘାଟନ ହେଲା ଉତ୍ତର-ପୂର୍ବ ଭାରତର ପ୍ରଥମ ELF ଓ ଏକ୍ସଟ୍ରାଡୋଜ୍ଡ ସେତୁ

ଗୁଆହାଟି, ୧୪/୦୨/୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଗସ୍ତ କରି ଉତ୍ତର-ପୂର୍ବ ଭାରତର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଗସ୍ତର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡ଼ର ମୋରାନ ବାଇପାସରେ ନିର୍ମିତ ଜରୁରୀକାଳୀନ ଅବତରଣ ସୁବିଧା (ELF) ଠାରେ ଅବତରଣ କରିଥିଲେ। ଉତ୍ତର-ପୂର୍ବ ଭାରତର ଏହି ପ୍ରଥମ ELFକୁ ଭାରତୀୟ ବାୟୁସେନା ସହାୟତାରେ ସାମରିକ ଓ ବେସାମରିକ ବିମାନର ଜରୁରୀକାଳୀନ ଅବତରଣ ଓ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଲଢ଼ୁଆ ବିମାନ ଓ ହେଲିକପ୍ଟର ଦ୍ୱାରା ପ୍ରଦର୍ଶିତ ଏକ ଚିତ୍ତାକର୍ଷକ ଆକାଶ ମାର୍ଗ ଶୋ’ ମଧ୍ୟ ଦେଖିଥିଲେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ବହୁ ପ୍ରତିକ୍ଷିତ ‘କୁମାର ଭାସ୍କର ବର୍ମା ସେତୁ’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩,୦୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୬ ଲେନ ବିଶିଷ୍ଟ ସେତୁ ଗୁଆହାଟି ଏବଂ ଉତ୍ତର ଗୁଆହାଟିକୁ ସଂଯୋଗ କରିବ। ଏହା ଉତ୍ତର-ପୂର୍ବ ଭାରତର ପ୍ରଥମ ‘ଏକ୍ସଟ୍ରାଡୋଜ୍ଡ ପ୍ରିଷ୍ଟ୍ରେସ୍ଡ କଂକ୍ରିଟ’ (PSC) ସେତୁ ଭାବେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି।

ଶିକ୍ଷା ଓ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଅନେକ ଭେଟି ଦେଇଛନ୍ତି। ସେ ଆଇଆଇଏମ୍ (IIM) ଗୁଆହାଟିର ଅସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବା ସହ କାମରୂପ ଜିଲାର ଅମିନଗାଓଁରେ ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ‘ଜାତୀୟ ଡାଟା ସେଣ୍ଟର୍’ର ଶୁଭାରମ୍ଭ କରିବେ। ଏହି ସେଣ୍ଟର ଅଞ୍ଚଳର ଡିଜିଟାଲ କ୍ଷମତାକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ଡିଜିଟାଲ ସେବା ଯୋଗାଇବାରେ ବଡ଼ ଭୂମିକା ଗ୍ରହଣ କରିବ।

ଏହାବ୍ୟତୀତ ପରିବେଶ ଅନୁକୂଳ ପରିବହନ ସେବାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ‘ପିଏମ-ଇବସ ସେବା ଯୋଜନା’ ଅଧୀନରେ ୨୨୫ଟି ଇଲେକ୍ଟ୍ରିକ ବସର ଶୁଭାରମ୍ଭ କରିବେ। ଏଥିମଧ୍ୟରୁ ଗୁଆହାଟି ପାଇଁ ୧୦୦ଟି ବସ୍ ରହିଥିବା ବେଳେ ନାଗପୁର ଓ ଭାବନଗର ପାଇଁ ୫୦ଟି ଲେଖାଏଁ ଏବଂ ଚଣ୍ଡିଗଡ଼ ପାଇଁ ୨୫ଟି ବସ୍‌ ରହିଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ମନେ ପକାଇ ସେମାନଙ୍କ ଦେଶପ୍ରେମ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି।

Related Articles

Back to top button