କ୍ରୀଡ଼ାଜାତୀୟ

ଟି-୨୦ ବିଶ୍ଵକପରେ ଭାରତର ପରାଜୟ

ଦକ୍ଷିଣ ଆଫ୍ରିକା ଆଗରେ ଆଣ୍ଠେଇଲା ଭାରତ

ନୂଆଦିଲ୍ଲୀ,୨୩/୦୨/୨୦୨୬: ଟି-୨୦ ବିଶ୍ଵକପର ସୁପର-୮ ରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ପରାସ୍ତ ହୋଇଛି ଭାରତ। ଏତେ ବଡ ବ୍ୟବଧାନରେ ପରାଜୟ ,ଟିମ ଇଣ୍ଡିଆକୁ ସେମିଫାଇନାଲ ଯୋଗ୍ୟତା ପାଇଁ ସମସ୍ୟା ସୃଷ୍ଟି କରିଛି। ଏବେ ଟିମ ଇଣ୍ଡିଆକୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଭଲ ରନ ରେଟରେ ଜିତିବାକୁ ପଡ଼ିବ।

ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୮୮ ରନର ଟାର୍ଗେଟ ଦେଇଥିଲା।ଜବାବରେ ଭାରତୀୟ ଦଳ ମାତ୍ର ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକାର ଆରମ୍ଭ ଖରାପ ଥିଲେ ମଧ୍ୟ ଡେଭିଡ ମିଲର, ବ୍ରେଭିସ ଏବଂ ଷ୍ଟବ୍ସ ବିସ୍ଫୋରକ ପାରୀ ଖେଳିଥିଲେ। ଡେଭିଡ ମିଲର ୩୫ ବଲରେ ୬୩ ରନ କରିଥିବା ବେଳେ ବ୍ରେଭିସ ୨୯ ବଲରେ ୪୫ ରନ ଏବଂ ଷ୍ଟବ୍ସ ୨୪ ବଲରେ ଅପରାଜିତ ୪୪ ରନ କରିଥିଲେ। ଏହିପରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୭ ରନ କରିବାରେ ସଫଳ ହୋଇଥିଲା।

ଭାରତୀୟ ଦଳ ପକ୍ଷରୁ ଜସପ୍ରିତ ବୁମରା ସଫଳ ବୋଲର ଭାବରେ ୪ ଓଭରରେ ବୋଲିଂ କରି ମାତ୍ର ୧୫ ରନ ଦେଇଥିଲେ ଏବଂ ୩ ଟି ୱିକେଟ ନେଇଥିଲେ। ସେହିଭଳି ବ୍ୟାଟିଂରେ ଶିବମ ଦୁବେ ୪୨ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟ କୁମାର ୧୮ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ। ଦକ୍ଷିଣ ଆଫ୍ରିକାର ସମସ୍ତ ବୋଲର ଭାରତୀୟ ଇନିଂସର ପ୍ରଥମରୁ ଚମତ୍କାର ବୋଲିଂ କରିଥିଲେ।

ମାର୍କୋ ଜାନସେନ ୩.୫ ଓଭରରେ ୨୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ କେଶବ ମହାରାଜ ୩ ଓଭରରେ ୨୪ ରନ ଦେଇ ୩ ଟି ୱିକେଟ ନେଇଥିଲେ ଏବଂ କର୍ବିନ ବୋଶ ୩ ଓଭରରେ ୧୨ ରନ ଦେଇ ୨ ଟି ୱିକେଟ ନେଇଥିଲେ।

ତେବେ ଟିମ ଇଣ୍ଡିଆର ଏପରି ପ୍ରଦର୍ଶନ ଫ୍ୟାନ ମାନଙ୍କୁ ନିରାଶ କରିଛି । ଆଗାମୀ ମ୍ୟାଚ ଜିମ୍ବାୱେ ବନାମ ଭାରତ। ଜିମ୍ବାୱେ ବିପକ୍ଷରେ କ’ଣ ଭାରତ ନିଜର ପରାଜୟର ପ୍ରତିଶୋଧ ନେଇପାରିବ? ସେମିଫାଇନାଲ୍ ରାସ୍ତା କ’ଣ ଭାରତ ପାଇଁ ସହଜ ହେବ ନା ଜିମ୍ବାୱେ କିଛି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ ? ତେବେ ଆଗାମୀ ମ୍ୟାଚରେ କେଉଁ ରଣନୀତି ସହ ପଡ଼ିଆକୁ ଓହ୍ଲାଉଛି ଟିମ୍ ଇଣ୍ଡିଆ ଦେଖିବାକୁ ରହିଲା ବାକି ।

Related Articles

Back to top button