ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଆରମ୍ଭ; ଏପ୍ରିଲ ୨ ସୁଦ୍ଧା ସରିବ ପ୍ରକ୍ରିୟା

ଭୁବନେଶ୍ୱର, ୨୫/୦୨/୨୦୨୬: ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (BSE) ର ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଏହି ସମ୍ପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟାକୁ ଏପ୍ରିଲ ୨ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସ୍ୱଚ୍ଛତା ଓ ଶୃଙ୍ଖଳିତ ମୂଲ୍ୟାୟନ ପାଇଁ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୫୦ଟି କେନ୍ଦ୍ର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ, ଇଂରାଜୀ ଓ ହିନ୍ଦୀ/ସଂସ୍କୃତ ପରି ପ୍ରମୁଖ ବିଷୟର ପରୀକ୍ଷା ସରିଥିବାରୁ ଏହି ଖାତାଗୁଡ଼ିକୁ ନୋଡାଲ୍ ସେଣ୍ଟରରୁ ସଂଗ୍ରହ କରି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉତ୍ତରଖାତା ଓ OMR ସିଟ୍ଗୁଡ଼ିକୁ ଗୋପନୀୟ ଭାବେ ନିର୍ଦ୍ଧାରିତ କେନ୍ଦ୍ରକୁ ପଠାଯାଉଛି। ଖାତା ଦେଖା କାର୍ଯ୍ୟରେ ପ୍ରାୟ ୧୨ ହଜାରରୁ ଅଧିକ ଅଭିଜ୍ଞ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଜଣେ ଶିକ୍ଷକ ଦିନକୁ ହାରାହାରି ୨୫ ରୁ ୩୦ଟି ଖାତା ଦେଖିବେ ଏବଂ ପ୍ରତି କେନ୍ଦ୍ରରେ ଡାଟା ଏଣ୍ଟ୍ରି ପାଇଁ ସ୍ୱତନ୍ତ୍ର ଅପରେଟର ଓ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି।
ଏହି ମୂଲ୍ୟାୟନ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ପରୀକ୍ଷକ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ନିଜ ନିଜ କେନ୍ଦ୍ରରେ ରିପୋର୍ଟ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ମାଟ୍ରିକ ଖାତା ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (SOSC) ପରୀକ୍ଷା ଖାତାର ମଧ୍ୟ ଏକାସାଙ୍ଗରେ ମୂଲ୍ୟାୟନ କରାଯିବ। ପରୀକ୍ଷା ଶେଷ ହେବା ପରେ କୌଣସି ପରୀକ୍ଷାର୍ଥୀ କପି କରି ବୁକ୍ ହୋଇନଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଯାହା ଶୃଙ୍ଖଳିତ ପରିଚାଳନାର ଏକ ସଫଳତା ଭାବେ ବିବେଚନା କରାଯାଉଛି।




