ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ପରଲୋକ

ଭୁବନେଶ୍ୱର,୨୬/୦୨/୨୦୨୬: ଆଉ ନାହାନ୍ତି ବିଶିଷ୍ଟ ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ। ଅସୁସ୍ଥତା କାରଣରୁ ଚୌଦ୍ବାରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି।

କଟକ ଟାଙ୍ଗି ମଣିଆ ଗାଁରେ ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସଙ୍କ ଜନ୍ମ | ପିଲାଟି ବେଳୁ ଚୌଦ୍ବାରରେ ରହି ପାଠ ପଢ଼ୁଥିବା ବେଳେ, ଅଷ୍ଟମ ଶ୍ରେଣୀରୁ ହିଁ ସେ ଘୋଡ଼ାନାଚକୁ ନିଜ ଜୀବନର ସଂକଳ୍ପ ଭାବେ ଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସଙ୍କଟ ଏତେ ଥିଲା ଯେ, କଲେଜ ପଢ଼ା ସହ ସେ ପାନ ଦୋକାନ କରି ଗୁଜରାଣ ମେଣ୍ଟାଉଥିଲେ। ହେଲେ ମନରେ ଥିଲା ଅଦମ୍ୟ ଜିଦ— ଘୋଡ଼ାନାଚକୁ ବିଶ୍ୱ ଦରବାରରେ ପହଞ୍ଚାଇବା।

ପାଠ ପଢ଼ା ପରେ ଚାକିରିର ସୁଯୋଗ ଆସିଥିଲା, କିନ୍ତୁ କଳା ପାଇଁ ସେ ସବୁକୁ ପାଦରେ ଆଡ଼େଇ ଦେଇଥିଲେ। ୧୯୬୪ ମସିହାରୁ ଏକ ଅନୁଷ୍ଠାନ ଗଢ଼ି ସେ ଶହ ଶହ ପିଲାଙ୍କୁ ଘୋଡ଼ାନାଚ ଶିଖାଇବା ଆରମ୍ଭ କଲେ। କେବଳ ମନୋରଞ୍ଜନ ନୁହେଁ, ବରଂ ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ ଶିକ୍ଷାର ମାଧ୍ୟମ ଭାବେ ସେ ଏହି ଲୋକକଳାକୁ ବ୍ୟବହାର କରିଥିଲେ।

କଳା କ୍ଷେତ୍ରରେ ତାଙ୍କର ଏହି ନିସ୍ୱାର୍ଥପର ଅବଦାନ ପାଇଁ ୨୦୨୧ ମସିହାରେ ତାଙ୍କୁ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାର ପାରମ୍ପରିକ ଲୋକକଳାକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।”

Related Articles

Back to top button