କୋରାପୁଟ ପୋଲିସର ମେଗା ସଫଳତା: ୨୨୫ କୋଟିର ହାଶିଶ୍ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

କୋରାପୁଟ, ୨୬/୦୨/୨୦୨୬: ରାଜ୍ୟରେ ଜାରି ରହିଥିବା ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ରେ କୋରାପୁଟ ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ପୋଲିସ ପ୍ରାୟ ୨୩୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିବା ସହ ନିଶା ମାଫିଆଙ୍କ ନେଟୱାର୍କକୁ ଧ୍ୱସ୍ତ କରିଦେଇଛି। ବିଶେଷ କରି ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଚାଲିଥିବା ଏହି ବେଆଇନ କାରବାର ଉପରେ ପୋଲିସର ଶକ୍ତ ପ୍ରହାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଆଇଜି (ଦକ୍ଷିଣାଞ୍ଚଳ)ଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହି ଟିମ୍ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍ ଉପରେ ହଠାତ୍ ଚଢ଼ାଉ କରିଥିଲା। ସେଠାରୁ ୧୮୦ ଲିଟରରୁ ଅଧିକ ହାଶିଶ୍ ତେଲ ଜବତ କରାଯାଇଛି, ଯାହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ମଧ୍ୟ ସେଠାରୁ ପ୍ରଚୁର ପରିମାଣର ପ୍ରସ୍ତୁତି ସାମଗ୍ରୀ ପୋଲିସ ହାତରେ ଲାଗିଛି।
ସେହିପରି ଅନ୍ୟ ଏକ ସଫଳ ଅଭିଯାନରେ ନନ୍ଦପୁର ଥାନା ପୋଲିସ ଦୁଇଟି ମହିନ୍ଦ୍ରା ପିକଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ୧୧୪୩ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ି ଦ୍ୱୟକୁ ଜବତ କରିଛି। ଗଞ୍ଜେଇରୁ ହାଶିଶ୍ ତେଲ ପ୍ରସ୍ତୁତ କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ପୋଲିସ ସନ୍ଦେହ କରୁଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ମାଫିଆମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।




