ପୋଷା କୁକୁରର ଲାଳ ପାଲଟିଲା ମାରାତ୍ମକ: ୨୪ ଘଣ୍ଟା ମଧ୍ୟରେ ଅକାମୀ ହେଲା ମହିଳାଙ୍କ ଅଙ୍ଗପ୍ରତ୍ୟଙ୍ଗ

ବ୍ରିଟେନ,୨୭/୦୨/୨୦୨୬: ବ୍ରିଟେନରେ ଘଟିଛି ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣାରେ, ଜଣେ ୫୨ ବର୍ଷୀୟା ମହିଳା ନିଜର ପୋଷା କୁକୁରର ଲାଳ ସଂସ୍ପର୍ଶ ଯୋଗୁଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବ୍ରିଟେନର ମଞ୍ଜିତ ସାଙ୍ଘା ନାମକ ଏହି ମହିଳା ଜୁଲାଇ ୨୦୨୫ରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତ ଗତିରେ ବିଗିଡ଼ି ଯାଇଥିଲା। ତାଙ୍କ ଶରୀର ନୀଳ ପଡ଼ିଯିବା ସହ ସେ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ତୁରନ୍ତ ଆଇସିୟୁ (ICU) ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସନ୍ଦେହ ଅନୁସାରେ, ତାଙ୍କ ଶରୀରରେ ଥିବା ଏକ କ୍ଷତକୁ କୁକୁର ଚାଟିଦେବା ଫଳରେ ସେଥିରେ ଥିବା Capnocytophaga canimorsus ବ୍ୟାକ୍ଟେରିଆ ତାଙ୍କ ରକ୍ତ ସ୍ରୋତରେ ମିଶି ଯାଇଥିଲା। ଏହି ସଂକ୍ରମଣ କିଛି ଘଣ୍ଟା ମଧ୍ୟରେ ଶରୀରରେ ସେପ୍ସିସ୍ (Sepsis) ସୃଷ୍ଟି କରିଥିଲା, ଯାହା ଫଳରେ ତାଙ୍କୁ ୩୨ ସପ୍ତାହ ଧରି ଚିକିତ୍ସାଧୀନ ରହିବାକୁ ପଡ଼ିଥିଲା।
ଚିକିତ୍ସା ସମୟରେ ମହିଳା ଜଣକ ୬ ଥର ହୃଦଘାତର (Cardiac Arrest) ଶିକାର ହୋଇଥିଲେ ଏବଂ ସଂକ୍ରମଣ ଶରୀରର ଅନ୍ୟ ଅଂଶକୁ ବ୍ୟାପିବା ରୋକିବା ପାଇଁ ଡାକ୍ତରମାନେ ତାଙ୍କର ଉଭୟ ଗୋଡ଼ ଆଣ୍ଠୁ ତଳୁ ଏବଂ ଦୁଇଟି ହାତ କାଟିଦେବାକୁ ବାଧ୍ୟ ହୋଇଥିଲେ। ସେପ୍ସିସ୍ ହେଉଛି ଏକ ଜୀବନହାନିକାରୀ ସ୍ଥିତି, ଯେଉଁଠାରେ ଶରୀରର Immune system ସଂକ୍ରମଣ ସହ ଲଢ଼ିବା ବଦଳରେ ନିଜର ସୁସ୍ଥ ତନ୍ତୁ ଓ ଅଙ୍ଗକୁ ଆକ୍ରମଣ କରିବା ଆରମ୍ଭ କରେ। ଏହା ଶରୀରରେ ରକ୍ତଚାପ ହ୍ରାସ କରିଦିଏ, ଯାହାଫଳରେ ଅଙ୍ଗଗୁଡ଼ିକ ଅକାମୀ (Multi-organ failure) ହୋଇଯାଏ।
ଅନେକ ସମୟରେ ପୋଷା ଜନ୍ତୁଙ୍କଠାରୁ ହେଉଥିବା ଏଭଳି ସଂକ୍ରମଣ ବିରଳ ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ସାଂଘାତିକ ହୋଇପାରେ। ବିଶେଷଜ୍ଞଙ୍କ ମତରେ, ଯଦି କୌଣସି ପଶୁଙ୍କ ସଂସ୍ପର୍ଶ ପରେ ଜ୍ୱର, ପ୍ରବଳ ଯନ୍ତ୍ରଣା, ଦ୍ରୁତ ହୃଦସ୍ପନ୍ଦନ କିମ୍ବା ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ଦେଖାଦିଏ, ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଜରୁରୀ। ମଞ୍ଜିତ ସାଙ୍ଘାଙ୍କ ଏହି ଦୁଃଖଦ ଅନୁଭୂତି ସମସ୍ତ ପୋଷା ଜନ୍ତୁ ପାଳୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସତର୍କ ସୂଚନା |




