
ଭୁବନେଶ୍ୱର ,କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଆସିଛି, ଏକ ସାଙ୍ଘାତିକ ଧମକ। ମଙ୍ଗଳବାର କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିବା ପରେ ପୂରା ଜିଲ୍ଲା ପ୍ରଶାସନ ଓ ପୋଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।ସଦର ଏସଡିପିଓଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୋର୍ଟ ପରିସରରୁ କୌଣସି ପ୍ରକାରର ସନ୍ଦେହଜନକ ପଦାର୍ଥ କିମ୍ବା ବୋମାର ସୁରାକ୍ ମିଳିନାହିଁ। ତଥାପି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ସଜାଗ ରହିବା ସହ ଘଟଣାର, ତଦନ୍ତ ଜାରି ରହିଛି।ଏହି ଘଟଣାକୁ ନେଇ କେନ୍ଦୁଝର ବାର୍ ଆସୋସିଏସନ୍ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆସୋସିଏସନ୍ ସଭାପତି କହିଛନ୍ତି ଯେ, ଏଭଳି ଗୁଜବ ସୃଷ୍ଟିକାରୀ ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ, ସରକାର ଓ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଯାହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ, କୌଣସି ବାଧା ସୃଷ୍ଟି ହେବ ନାହିଁ।ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ତୁରନ୍ତ ଟାଉନ୍ ଥାନାରେ ଏକ ଏତଲା ଦାୟର କରାଯାଇଥିଲା। ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ପ୍ରଶାସନ ପକ୍ଷରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।




