ଓଡ଼ିଶା

ଅନ୍ତର୍ଜାତୀୟ ମହିଳା ଦିବସ-2026 ‘ସମ୍ପୂର୍ଣ୍ଣା’ ପାଇଁ ବିଏମ୍ ସିର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର;୦୬/୦୩/୨୦୨୬ : ସ୍ୱଚ୍ଛତାର ବାର୍ତ୍ତା ନେଇ ଅନ୍ତର୍ଜାତୀୟ ମହିଳା ଦିବସ -2026, ଅବସରରେ ସାମିଲ ହେବେ ଶହ ଶହ ମହିଳା । ହସ୍ତତନ୍ତ ହେବ ପରିପାଟି । ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କିତ ଶିକ୍ଷା, ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଏମ୍ ସି ପକ୍ଷରୁ ପ୍ରୟାସ ଜାରି ରହିଛି । ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି ।

ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଜୋନାଲ କମିଶନର ଅଶନୀ ଏ.ଏଲ୍, ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ କର୍ପୋରେଟର, ବିଏମ୍ ସି ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସ-2026 ‘ସମ୍ପୂର୍ଣ୍ଣା’ ଅବସରରେ ଚଳିତ ମାସ 8 ତାରିଖ ରବିବାର ଦିନ ବିଏମ୍ ସି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଦିନ ସକାଳ 6 ଟାରୁ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ମହିଳା ଗଣଦୌଡ ଆରମ୍ଭ ହୋଇ ବିଏମ୍ ସି ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବ । ଏଥିରେ ସବୁ ବର୍ଗର ଶହ ଶହ ମହିଳା ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହେବ ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ ବିଚିତ୍ରା ‘ସମ୍ପୂର୍ଣ୍ଣା’ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ନେଇ ମାନନୀୟା ମେୟର ଓ କମିଶନର ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସରସ, ସୁନ୍ଦର ଓ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ମହିଳା ଗଣଦୌଡରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳାଙ୍କୁ ପୁରସ୍କୃତ କରାଯିବ । ସାଂସ୍କୃତିକ ବିଚିତ୍ରାରେ ଡ୍ୟାନ୍ସ ସହ ମୁଖ୍ୟ ଆକର୍ଷଣ ରହିବେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ।

ଦିବସ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଏବଂ ପ୍ରସ୍ତୁତି ସଂପର୍କରେ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ସଭାକୁ ଅବଗତ କରାଇଥିଲେ । ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button