
ପାରାଦୀପ, ୦୬/୦୩/୨୦୨୬: ବନ୍ଦର ନଗରୀ ପାରାଦୀପଠାରେ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ କରକମଳରେ ଇଫ୍କୋର ନୂତନ ସଲ୍ଫୁରିକ୍ ଏସିଡ୍ ପ୍ଲାଣ୍ଟ (ଷ୍ଟ୍ରିମ୍-୩) ଉଦ୍ଘାଟିତ ହୋଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଜଣେ ଦୃଢ଼ ନିଷ୍ପତ୍ତି ଗ୍ରହଣକାରୀ ନେତା ଭାବେ ଅଭିହିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଶାହଜୀଙ୍କ ନେତୃତ୍ୱରେ ଦେଶର ସମବାୟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି ଏବଂ ଆଜିର ଏହି ପ୍ରକଳ୍ପ ସେହି ସଫଳତାର ଆଉ ଏକ ନିଦର୍ଶନ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଇଫ୍କୋର ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ଏହି ନୂତନ ପ୍ଲାଣ୍ଟ ଦ୍ୱାରା ଦୈନିକ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ। ଏହାଫଳରେ ଭାରତକୁ ଆଉ ବିଦେଶରୁ ସଲ୍ଫୁରିକ୍ ଏସିଡ୍ ଆମଦାନୀ କରିବାକୁ ପଡ଼ିବ ନାହିଁ, ଯାହା ‘ଆତ୍ମନିର୍ଭର ଭାରତ’ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ସାର ଉତ୍ପାଦନରେ କୃଷକମାନଙ୍କ ଦ୍ୱାରା ପରିଚାଳିତ ଏହି ସଂସ୍ଥା ବିଶ୍ୱସ୍ତରରେ ଭାରତର ମାନ ବଢ଼ାଇଛି ବୋଲି ସେ ପ୍ରକାଶ କରିଥିଲେ।
ପାରାଦୀପର ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପାରାଦୀପରୁ ପୁରୀ ପର୍ଯ୍ୟନ୍ତ ଅଞ୍ଚଳକୁ ଏକ ବିଶାଳ ‘ଇକୋନୋମିକ୍ ହବ୍’ ଭାବେ ବିକଶିତ କରାଯିବ, ଯାହା ମୁମ୍ବାଇ ଭଳି ପୂର୍ବ ଭାରତର ଅର୍ଥନୀତିକୁ ସମୃଦ୍ଧ କରିବ। କେନ୍ଦ୍ର ସରକାରଙ୍କ ୫ ହଜାର କୋଟି ଟଙ୍କାର ସହାୟତାରେ ଏଠାରେ ଟେକ୍ସଟାଇଲ୍ ପାର୍କ ଓ ଅନ୍ୟାନ୍ୟ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରାଯିବ। ଓଡ଼ିଶା ଆଗାମୀ ଦିନରେ ‘ବିକଶିତ ଭାରତ’ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ୍ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।




