ଓଡ଼ିଶାଶିକ୍ଷା

ଲୋକସେବା ଭବନରେ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୦୩/୨୦୨୬: ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC) ରେ ରାଜ୍ୟ ପାଇଁ ଗୌରବ ଆଣିଥିବା ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସାତ୍ତ୍ୱିକ ଚଳିତ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୦୦ ତମ ସ୍ଥାନ (AIR 100) ହାସଲ କରିଛନ୍ତି। ଆଜି ସେ ନିଜ ପିତାମାତାଙ୍କ ସହ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାତ୍ତ୍ୱିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ସାତ୍ତ୍ୱିକଙ୍କ ଏହି ସଫଳତା କେବଳ କେନ୍ଦୁଝର ନୁହେଁ, ବରଂ ସାରା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା।” ଜଣେ ପ୍ରଶାସନିକ ଅଧିକାରୀ ଭାବେ ସମାଜର ଉନ୍ନତି ଓ ଲୋକଙ୍କ ସେବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଶାସନିକ ସେବାର ମୂଳ ଲକ୍ଷ୍ୟ ହେଉଛି ଜନସେବା। ସାତ୍ତ୍ୱିକଙ୍କ ଭଳି ଯୁବ ପ୍ରତିଭାମାନେ ପ୍ରଶାସନିକ ସ୍ତରକୁ ଆସିଲେ ରାଜ୍ୟ ତଥା ଦେଶର ବିକାଶ ଧାରା ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଶୁଭେଚ୍ଛା ପାଇବା ପରେ ସାତ୍ତ୍ୱିକ ଏବଂ ତାଙ୍କ ପରିବାରବର୍ଗ ଖୁସି ବ୍ୟକ୍ତ କରିଛନ୍ତି।

Related Articles

Back to top button