
ଭୁବନେଶ୍ୱର, ୧୧/୦୩/୨୦୨୬: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ଏକ ବିଶାଳ ଟିମ୍ ଆଜି ତାଙ୍କର ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି।
ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି ଏବଂ ୧୧ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୭ଟି ସ୍ଥାନରେ ତଲାସି କରୁଛନ୍ତି:୧. ଭୁବନେଶ୍ୱର ସହୀଦନଗର ଥାନା ଅନ୍ତର୍ଗତ କେଶରା ମୌଜାରେ ଥିବା ତିନି ମହଲା କୋଠା।
୨. ସହୀଦନଗର କେଶରା ମୌଜାରେ ଥିବା ଆଉ ଏକ ନିର୍ମାଣାଧୀନ ତିନି ମହଲା କୋଠା।
୩. ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୁଛିଆଠାରେ ଥିବା ତାଙ୍କର ପୈତୃକ ବାସଭବନ।
୪. ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର।
୫. କଣ୍ଟାପଡ଼ାସ୍ଥିତ ତାଙ୍କର ସରକାରୀ କାର୍ଯ୍ୟାଳୟ (ତହସିଲ ଅଫିସ୍)।
୬. କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।
୭. କଣ୍ଟାପଡ଼ାସ୍ଥିତ ତାଙ୍କର ସରକାରୀ ବାସଭବନ।
ଚଢ଼ାଉ ସମୟରେ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଏବଂ ଜମିବାଡ଼ି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ପରିମାଣ ଆକଳନ କରାଯାଇ ନାହିଁ। ଜଣେ ଓଏଏସ୍ (OAS) ଅଧିକାରୀଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି ଦେଖି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।




