
ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୬: କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଜି ଗଣମାଧ୍ୟମ ସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ରାଜ୍ୟସଭା ପ୍ରାର୍ଥୀ ଚୟନ ଏବଂ ବିଜେଡିକୁ ସମର୍ଥନ ପ୍ରସଙ୍ଗରେ ତାଙ୍କ ସହ କୌଣସି ପରାମର୍ଶ ନିଆଯାଇନଥିଲା। ସେ କହିଛନ୍ତି ଯେ, ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ଏପରିକି ନୂଆପଡ଼ା ଉପନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ଡକାଯାଇ ନଥିବା ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ଅବଗତ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି।
ସୋଫିଆ ବିଜେଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, କଂଗ୍ରେସର ଆଜିର ଦୁର୍ଦ୍ଦଶା ପାଇଁ କେବଳ ବିଜେଡି ହିଁ ଦାୟୀ। ବିଜେଡି ସବୁବେଳେ ବିଜେପି ସହ ମିଶି ରହିଆସିଛି ଏବଂ କଂଗ୍ରେସକୁ ମୂଳପୋଛ କରିବା ପାଇଁ ଷଡ଼ଯନ୍ତ୍ର ଜାରି ରଖିଛି। ଯଦି ଦୁଇ ଦଳର ମୁଖ୍ୟ ମିଶି ଜଣେ ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଥାନ୍ତେ, ତେବେ ସମ୍ମାନ ରହିଥାନ୍ତା। ମାତ୍ର ବିଜେଡିର ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନିଷ୍ପତ୍ତି ପୂର୍ବରୁ ବିଧାୟକମାନଙ୍କ ମତାମତ ନିଆଯାଇ ନଥିବାରୁ ସେ ଅପମାନିତ ଅନୁଭବ କରୁଛନ୍ତି।
ଭୋଟ୍ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଭୋଟ୍ ଦେବା ତାଙ୍କର ସାମ୍ବିଧାନିକ ଅଧିକାର ଏବଂ ସେ ନିଶ୍ଚୟ ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ବ୍ୟକ୍ତିଗତ ଭାବେ ଯିଏ ଯାହାକୁ ଚାହିଁବେ ତାଙ୍କୁ ଭୋଟ୍ ଦେବେ ବୋଲି ସେ ସୂଚନା ଦେଇଛନ୍ତି। ସୋଫିଆଙ୍କ ଏହି ବୟାନ ପରେ ଏବେ ରାଜ୍ୟ କଂଗ୍ରେସ ଶିବିରରେ କନ୍ଦଳ ସ୍ପଷ୍ଟ ହୋଇଛି, ଯାହା ଆଗାମୀ ରାଜ୍ୟସଭା ନିର୍ବାଚନ ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।




