ଓଡ଼ିଶାରାଜନୀତି

ରାଜ୍ୟସଭା ଆସନ ପାଇଁ ଭୋଟିଂ ଜାରି: ୫ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର

ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଧାନସଭା ପରିସରରେ ଗୁରୁତ୍ୱପୂର୍ଣ୍ଣ ମତଦାନ ଅନୁଷ୍ଠିତ ହେଉଛି। ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଥିବାରୁ ଏହି ଖାଲି ପଦବୀ ପାଇଁ ନିର୍ବାଚନ କରାଯାଉଛି। ଚଳିତ ଥର ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଇଦାନରେ ଥିବାରୁ ପ୍ରତିଯୋଗିତା ବେଶ୍ ରୋମାଞ୍ଚକର ହୋଇଛି। ବିଜେପି ପକ୍ଷରୁ ସୁଜିତ୍ କୁମାର ଓ ମନମୋହନ ସାମଲ ପ୍ରାର୍ଥୀ ହୋଇଥିବା ବେଳେ ଦିଲୀପ ରାୟ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ସନ୍ତୃପ୍ତ ମିଶ୍ର ଏବଂ ବିଜେଡି-କଂଗ୍ରେସର ମିଳିତ ସମର୍ଥନରେ ଡାକ୍ତର ଦତ୍ତେଶ୍ୱର ହୋତା କମନ୍ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।

ସଂଖ୍ୟା ଗଣିତ ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ଅତିକମରେ ୩୦ ଖଣ୍ଡ ଭୋଟ୍‌ର ଆବଶ୍ୟକତା ରହିଛି। ବିଧାନସଭାରେ ଶାସକ ବିଜେପିର ୭୯ ଜଣ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ସହ ସେମାନଙ୍କ ପାଖରେ ମୋଟ ୮୨ଟି ଭୋଟ୍ ରହିଛି। ଏହି ସଂଖ୍ୟା ବଳରେ ବିଜେପିର ଦୁଇ ଜଣ ପ୍ରାର୍ଥୀ ସହଜରେ ଜିତିବା ସମ୍ଭାବନା ଅଧିକ। ସେହିପରି ବିଜେଡି ପାଖରେ ୪୮ ଜଣ ବିଧାୟକ ଥିବାରୁ ସେମାନଙ୍କର ଜଣେ ପ୍ରାର୍ଥୀ ବିଜୟୀ ହେବେ। କଂଗ୍ରେସ ଓ ସିପିଆଇ(ଏମ)ର ୧୫ଟି ଭୋଟ୍ ଏବଂ ବିଜେଡିର ବଳକା ୧୮ଟି ଭୋଟ୍ ମିଶିଲେ ମିଳିତ ପ୍ରାର୍ଥୀଙ୍କ ପାଖରେ ପ୍ରାୟ ୩୩ଟି ଭୋଟ୍ ରହିବ, ଯାହା ଫଳରେ ଚତୁର୍ଥ ଆସନ ପାଇଁ ଲଢ଼େଇ ଜୋରଦାର ହେବ।

ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ବିଧାନସଭାର ୫୪ ନମ୍ବର ରୁମ୍‌ରେ ସମସ୍ତ ବ୍ୟବସ୍ଥା କରାଯାଇଛି। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାୟକମାନେ ନିଜର ପରିଚୟ ପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିବେ। ସବୁ ରାଜନୈତିକ ଦଳ ନିଜ ନିଜର ସ୍ୱୀକୃତିପ୍ରାପ୍ତ ଏଜେଣ୍ଟଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି। ବିଜେପି ପକ୍ଷରୁ କନକ ବର୍ଦ୍ଧନ ସିଂ ଦେଓ ଓ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେଡି ପକ୍ଷରୁ ପ୍ରମିଳା ମଲ୍ଲିକ ଓ ପ୍ରତାପ ଦେବ ପ୍ରମୁଖ ଏଜେଣ୍ଟ ଭାବେ ରହି ନିର୍ବାଚନ ଉପରେ ନଜର ରଖିଛନ୍ତି।

ଭୋଟ୍ ଗ୍ରହଣ ଶେଷ ହେବା ପରେ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖକୁ ପଠାଯିବ। ସେଠାରୁ ଅନୁମତି ମିଳିବା ପରେ ଅପରାହ୍ନ ପ୍ରାୟ ୫ଟା ସମୟରେ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବାର କିଛି ସମୟ ପରେ ରାଜ୍ୟସଭାକୁ ଓଡ଼ିଶାରୁ ଯିବାକୁ ଥିବା ୪ ଜଣ ବିଜୟୀ ପ୍ରାର୍ଥୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ବର୍ତ୍ତମାନ ବିଧାନସଭା ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ସମସ୍ତ ପ୍ରାର୍ଥୀ ନିର୍ବାଚନ ସ୍ଥଳରେ ଉପସ୍ଥିତ ଅଛନ୍ତି।

Related Articles

Back to top button