ଓଡ଼ିଶାରାଜନୀତି

ଚାଷୀ, ମହିଳା ଓ ଓଡ଼ିଆ ଅସ୍ମିତା ପାଇଁ ଲଢ଼ିବ ବିଜେଡି: ବିଧାନସଭାରେ ସରକାରଙ୍କୁ ନବୀନଙ୍କ ଚେତାବନୀ

ଭୁବନେଶ୍ୱର, ୧୭/୦୨/୨୦୨୬: ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଶାସକ ବିଜେପି ସରକାରକୁ ଘେରିବା ପାଇଁ ପୂରା ପ୍ରସ୍ତୁତ ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଏକ ଶାଣିତ ରଣନୀତି ପ୍ରସ୍ତୁତ କରାଯାଇଛି। ସରକାରଙ୍କ ବିଭିନ୍ନ ବିଫଳତାକୁ ଲୋକଲୋଚନକୁ ଆଣିବା ସହ ଗୃହରେ ସଶକ୍ତ ବିରୋଧ ପ୍ରଦର୍ଶନ କରିବାକୁ ନବୀନ ନିଜ ଦଳର ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ମୁଖ୍ୟତଃ ଚାଷୀ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ ସଂଗ୍ରହରେ ହେଉଥିବା ଅବ୍ୟବସ୍ଥା, ମଣ୍ଡି ସମସ୍ୟା ଏବଂ ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ହେଉଥିବା ହେରଫେରକୁ ନେଇ ବିଜେଡି ସରକାରଙ୍କୁ ଜବାବ ମାଗିବ। ନବୀନ କହିଛନ୍ତି ଯେ, ମଣ୍ଡିରେ ଚାଷୀମାନେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି, କିନ୍ତୁ ସରକାର ଚୁପ୍ ରହିଛନ୍ତି। ତେଣୁ ବିଧାନସଭାରେ ବିଜେଡି ଚାଷୀଙ୍କ କଣ୍ଠ ସାଜିବ ଏବଂ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବ।

ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ବିରୋଧୀ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ। ନବୀନ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି ଏବଂ କେହି ବି ସୁରକ୍ଷିତ ନୁହନ୍ତି। ଏଥିସହ ମହାନଦୀ ଜଳ ବିବାଦରେ ଛତିଶଗଡ଼ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ସରକାରଙ୍କ ବଜେଟ୍ ଖର୍ଚ୍ଚ କରିବାର ଅପାରଗତାକୁ ନେଇ ମଧ୍ୟ ନବୀନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର କେବଳ ମିଛ ପ୍ରଚାର ଓ ‘ଡବଲ ଇଞ୍ଜିନ’ ସ୍ଲୋଗାନ ଦେବାରେ ବ୍ୟସ୍ତ, ମାତ୍ର ବଜେଟ୍ ଅର୍ଥର ସଠିକ୍ ବିନିଯୋଗ କରିପାରୁନାହାନ୍ତି। ରାଜ୍ୟର ଅର୍ଥନୀତି, ଓଡ଼ିଆ ଅସ୍ମିତା ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଚଳିତ ଅଧିବେଶନରେ ଜୋରଦାର ଲଢ଼େଇ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Related Articles

Back to top button