କଣ ପାଇଁ ଏହି ମାଙ୍କଡ ଏବେ ସେଲିବ୍ରିଟି ?
ମା ଛାଡ଼ି ଦେଲା, ସାଥୀ ଆକ୍ରମଣ କଲେ, ହାତରେ ଧରିଲା ଟେଡ୍ଡି ବିଅର । ଏବେ କେମିତି ଅଛି ମାଙ୍କଡ଼ ଛୁଆ ପଞ୍ଚ ?

ଜାପାନର ଗୋଟିଏ ଛୋଟିଆ ମାଙ୍କଡ ଛୁଆ ଏବେ ସାରା ବିଶ୍ବକୁ ନିଜ ଆଡେ ଆକର୍ଷିତ କରିବାରେ ଲାଗିଛି । ଛୁଆଟି ଯଦିଓ ଦେଖିବାକୁ ଗୁଲୁଗୁଲୁଆ, ହେଲେ ତା ସହିତ ଥିବା ଗୋଟିଏ ଟେଡ୍ଡି ବିଅର ଓ ଛୁଆଁ ମାଙ୍କଡର କାହାଣୀ ଅତି ରୋଚକ । ଏହି ମାଙ୍କଡ ଛୁଆଟି ଏବେ ଜାପାନର ଇଚିକାୱା ସିଟି ଚିଡ଼ିଆଖାନା ରହୁଛି । ଯାହାର ନାମ ହେଉଚି ପଞ୍ଚ । ପଞ୍ଚକୁ ନେଇ ସାରା ବିଶ୍ବ ସମ୍ବେଦନଶୀଳ ହୋଇ ପଡିଛନ୍ତି ।
କିନ୍ତୁ ଏହି ମାଙ୍କଡ ଛୁଆ ଆଉ ଟେଡ୍ଡି ବିଅର ପଛର କାରଣ ଜାଣିଛନ୍ତି କି । ଯଦି ଜାଣି ନାହାନ୍ତି ତାହାଲେ ପୁରା ଭିଡିଓ ଦେଖନ୍ତୁ । ପଞ୍ଚ ହେଉଛି ମାତ୍ର ଏକ ବର୍ଷର ଜାପାନୀ ମକାକ୍ ମାଙ୍କଡ ଛୁଆ । ଜନ୍ମ ପରେ ମା ମାଙ୍କଡ ତାକୁ ଛାଡି ଦେଇଥିଲା । ଫଲରେ ଏକୁଟିଆ ହୋଇ ଯାଇଥିଲା ଛୁଆ ମାଙ୍କଡ । ତାକୁ ଉଦ୍ଧାର କରି ଏହି ଚିଡିଆଖାନାକୁ ଆଣା ଯାଇଥିଲା । ହେଲେ ଏଠାରେ ସାଥୀ ମାଙ୍କଡମାନେ ଆକ୍ରମଣ କରିଥିଲେ, ତାକୁ ନିଜ ସହ ମିଶାଇବାକୁ ଦେଇ ନ ଥିଲେ । ଫଲରେ ଏକାକୀ ରହୁଥିଲା ପଞ୍ଚ, ମାନସିକ ଅବସାଦ, ଏକୁଟିଆପଣ ପାଇଁ ସେ ଦୁର୍ବଳ ହେବାରେ ଲାଗିଥିଲା । ଏହି ସମୟରେ ଜୁ କେୟାର ଟେକର ତାକୁ ମାତୃତ୍ୱର ଉଷ୍ମତା ପାଇଁ ସରୋଗେଟ୍ ଭାବରେ ଏକ ଟେଡି ବିଅର ଦେଇଥିଲେ ।
ପଞ୍ଚ ଏହାକୁ ସହଜରେ ଗ୍ରହଣ କରିନେଲା, ଭାବିଲା ଇଏ ମୋ ମା ଆଉ ସାଙ୍ଗ । ସେ ଯୁଆଡେ ଗଲା ତାକୁ ଧରି ସାଙ୍ଗରେ ବୁଲିଲା, ଏପରିକି ଖାଇବା ଶୋଇବା ଖେଳିବା ସବୁ ତା ସହିତ କଲା । ସେ ପୁଣି ଥରେ ସୁସ୍ଥ ଓ ସକ୍ରିୟ ହେବାକୁ ଲାଗିଲା । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓ ଦେଖିବା ପରେ ବିଶ୍ବର କୋଣ ଅନୁକୋଣରୁ ତା ପ୍ରତି ସହାନୁଭୂତି ଛୁଟିବାରେ ଲାଗିଛି । ଏପିରିକି ବିଟ୍ରିସ୍-ଆମେରିକାନ୍ କିକ୍ ବକ୍ସର ତଥା ସୋସିଆଲ ମିଡିଆ ଇନଫ୍ଲୁଏନସର ଟ୍ରିଷ୍ଟାନ୍ ଓ ଆଣ୍ଡରିଉ ଟେଟ୍ ପଞ୍ଚକୁ ଅଢେଇ ଲକ୍ଷ ଡଲାରରେ କିଣିବାକୁ ଇଛା ପ୍ରକାଶ କରିଥିଲେ । ସେ ନିଜ ପାଖରେ ତାକୁ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ ଇଚିକାୱା ସିଟି ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ । ହେଲେ ଏହି ପ୍ରସ୍ତାବ ଗ୍ରହଣ ହୋଇ ନଥିଲା ।
କିନ୍ତୁ ପଞ୍ଚ ପାଇଁ ଏବେ ଖୁସି ଖବର । ଚିଡ଼ିଆଖାନା ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପଞ୍ଚଙ୍କୁ ଅନ୍ୟ ମାଙ୍କଡମାନେ ଏବେ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତାକୁ ବୟସ୍କ ମାଙ୍କଡ ଆଲିଙ୍ଗନ ଓ ଗେଲ କରାଯାଉଥିବା ଦେଖାଯାଇଛି, ଯାହା ମାଙ୍କଡଙ୍କ ସାମାଜିକ ବନ୍ଧନ ଏବଂ ଗ୍ରହଣୀୟତାର ପ୍ରମୁଖ ସଙ୍କେତ। ସେହିପରି ଚିଡ଼ିଆଖାନା ଅଧିକାରୀ ସ୍ପଷ୍ଟ କରିଛନ୍ତି, ବୟସ୍କ ବାନରଙ୍କ ଦ୍ୱାରା ଧମକା କିମ୍ବା ଟଣାଟଣି ଘଟଣା ଏକ ପ୍ରାକୃତିକ ଶୃଙ୍ଖଳାଗତ ଆଚରଣ ଥିଲା । ଏହା ବଡମାନଙ୍କ ଦ୍ବାରା ଛୁଆମାନଙ୍କୁ ଆତ୍ମରକ୍ଷାର ଏକ ପ୍ରକ୍ରିୟା ।
ହେଲେ ଇଣ୍ଟରନେଟ ପଞ୍ଚ ଭାଇରାଲ୍ ହେବା ପରେ ଚିଡିଆଖାନା ଉପରେ ଏବେ ଚାପ ବଢିଛି । ତାକୁ ଦେଖିବା ପାଇଁ ଏଠାରେ ଅତ୍ୟଧିକ ପର୍ଯ୍ୟଟକଙ୍କ ଭିଡ଼ ବଢିଛି । ବିଶେଷ କରି ଶୁକ୍ରବାର, ଶନିବାର ଓ ରବିବାର ଅଧିକ ଭିଡ ରହୁଛି । ଏଥିପାଇଁ ଚିଡିଆଖାନାର “ମଙ୍କି ମାଉଣ୍ଟେନ୍” ଚାରିପାଖରେ ନୂଆ ନିୟମ ସହ ନୋ-ଏଣ୍ଟ୍ରି ଜୋନ୍ ଲାଗୁ କରିଛି।




