
ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୬: ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ଓ ପଦବୀକୁ ବ୍ୟବହାର କରି କିଛି ଅସାଧୁ ବ୍ୟକ୍ତି ସାଧାରଣ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତି ମନ୍ତ୍ରୀଙ୍କ ପରିଚୟ ଦେଇ କିଛି ସାଇବର ଅପରାଧୀ ଜନସାଧାରଣଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି। ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଠକାମି ପାଇଁ ବ୍ୟବହୃତ ହେଉଥିବା ମୋବାଇଲ୍ ନମ୍ବର ୭୩୭୭୩୫୨୪୪୯ ଏବଂ ଅଭିଯୋଗକାରୀଙ୍କ ବୟାନକୁ ଭିତ୍ତି କରି ସାଇବର କ୍ରାଇମ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅସାଧୁ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ସହ ବିଭିନ୍ନ ବାହାନାରେ ଅର୍ଥ ଦାବି କରୁଥିବା ନଜରକୁ ଆସିଛି। ଏପରି ଅପରାଧିକ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ସାଇବର ଥାନା ପୋଲିସ ବର୍ତ୍ତମାନ ଉକ୍ତ ନମ୍ବରକୁ ଟ୍ରାକ୍ କରି ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି।
ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସଦୟ ଅବଗତି ନିମନ୍ତେ ଏକ ସତର୍କ ସୂଚନା ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହିପରି ଭାବେ କାହାର ପରିଚୟର ଅପବ୍ୟବହାର କରି ଟଙ୍କା ମାଗନ୍ତି, ତେବେ କୌଣସି ଅର୍ଥ ପଠାଇବା ପୂର୍ବରୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଏଭଳି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବା ମାତ୍ରେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ସଜାଗ ରହିବା ହିଁ ସାଇବର ଠକାମିରୁ ରକ୍ଷା ପାଇବାର ସବୁଠାରୁ ବଡ଼ ଉପାୟ।




