ଟି୨୦ ବିଶ୍ୱକପ୍: ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତର ବିଜୟ, ସେମିଫାଇନାଲରେ ପ୍ରବେଶ

କୋଲକାତା, ୦୨/୦୩/୨୦୨୬: ସ୍ଥାନୀୟ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୮ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୫ ୱିକେଟ୍ ରେ ପରାସ୍ତ କରିଛି। ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିବା ସହ ସେମିଫାଇନାଲ ପାଇଁ ନିଜର ସ୍ଥାନ ସୁରକ୍ଷିତ କରିଛି। ପୂର୍ବରୁ ୨୦୦୭ ଓ ୨୦୨୪ରେ ବିଶ୍ୱ ଚାମ୍ପିୟନ ହୋଇଥିବା ଭାରତ ଏବେ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବା ଆଶାରେ ଆଗକୁ ବଢ଼ିଛି। ଅନ୍ୟପକ୍ଷରେ, ଦୁଇଥରର ବିଜେତା ୱେଷ୍ଟଇଣ୍ଡିଜର ବିଶ୍ୱକପ୍ ଅଭିଯାନ ଏହି ପରାଜୟ ସହ ଶେଷ ହୋଇଛି।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ୧୯୬ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୨ ଓଭରରେ ୫ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ସାଜିଥିଲେ ସଞ୍ଜୁ ସାମସନ। ସେ ମାତ୍ର ୫୦ଟି ବଲ୍ ଖେଳି ୧୨ଟି ଚୌକା ଓ ୪ଟି ଛକା ସହାୟତାରେ ୯୭ ରନର ଏକ ଅପରାଜିତ ଓ ବିସ୍ଫୋରକ ପାଳି ଖେଳି ଭାରତକୁ ଜିତାଇଥିଲେ।
ଆଗାମୀ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ସେମିଫାଇନାଲ ମ୍ୟାଚ୍ ମାର୍ଚ୍ଚ ୪ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିଭଳି ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତର ସାମ୍ନା କରିବ ଇଂଲଣ୍ଡ। ଏହି ରୋମାଞ୍ଚକର ମ୍ୟାଚ୍କୁ ଉପଭୋଗ କରିବା ପାଇଁ ଆଇସିସି ମୁଖ୍ୟ ଜୟ ଶାହା, ବିସିସିଆଇ ମୁଖ୍ୟ ମିଥୁନ ମନହାସ ଏବଂ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।



