ଓଡ଼ିଶା

ଗଞ୍ଜାମର ସୁନାପୁରଠାରେ ନିର୍ମାଣ ହେବ ବିଶ୍ଵସ୍ତରୀୟ ବନ୍ଦର

୨୧,୫୦୦ କୋଟିର ମେଗା ପ୍ରକଳ୍ପ ପାଇଁ ସମୀକ୍ଷା ଜାରି

ବ୍ରହ୍ମପୁର, ୦୨/୦୩/୨୦୨୬: ଗଞ୍ଜାମ ଜିଲ୍ଲା ସୁନାପୁରସ୍ଥିତ ବାହୁଦା ନଦୀ ମୁହାଣରେ ପ୍ରସ୍ତାବିତ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ନିର୍ମାଣ ଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ପୂର୍ବାହ୍ନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସମାନ୍ତରାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଓ ନକ୍ସାର ସମୀକ୍ଷା କରିଛନ୍ତି। ପିପିପି (PPP) ମୋଡରେ ନିର୍ମିତ ହେବାକୁ ଥିବା ଏହି ବନ୍ଦର ପାଇଁ ପାଖାପାଖି ୨୧,୫୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଏହି ବିଶ୍ଵସ୍ତରୀୟ ବନ୍ଦରରେ ବାର୍ଷିକ ୧୫୦ ମିଲିଅନ୍ ମେଟ୍ରିକ ଟନ୍ କାର୍ଗୋ ପରିବହନର କ୍ଷମତା ରହିବ, ଯାହା ଓଡ଼ିଶାର ଅର୍ଥନୀତିକୁ ଏକ ନୂଆ ଗତି ପ୍ରଦାନ କରିବ। ୨୦୨୫ ସେପ୍ଟମ୍ବର ୧୯ରେ ଏହି ପ୍ରକଳ୍ପ ପାଇଁ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତି ସ୍ବାକ୍ଷରିତ ହୋଇସାରିଛି। ବନ୍ଦର ନିକଟରେ ଜାତୀୟ ରାଜପଥ ଓ ରେଳପଥର ସୁବିଧା ଥିବାରୁ ଏହା ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ସାରଥୀ ସାଜିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି।

ସ୍ଥାନୀୟ ମତ୍ସ୍ୟଜୀବୀ ଓ ଜନସାଧାରଣଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦେଇ ଏହି ବନ୍ଦର ନିର୍ମାଣ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସୁନାପୁର ଅଞ୍ଚଳ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ। ବୈଷୟିକ ରିପୋର୍ଟ ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଡିପିଆର (DPR) ପ୍ରସ୍ତୁତ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ ରାଜପୁତ ସୂଚନା ଦେଇଛନ୍ତି।

Related Articles

Back to top button