ଓଡ଼ିଶାଦୁର୍ନୀତି

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ; ବାହାରିଲାଣି କୋଟି କୋଟିର ସମ୍ପତ୍ତି

ଭୁବନେଶ୍ୱର/କଟକ, ୦୭/୦୩/୨୦୨୬: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଥିବା ଡେରାବିଶ୍ ଜଳସେଚନ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରମୋଦ ରାୟଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ତାଙ୍କର ୭ଟି ବାସଭବନ ଓ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ କରାଯାଉଛି।

ଏହି ସବୁ ସ୍ଥାନରେ ଚାଲିଛି ଚଢ଼ାଉ:
ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସପି, ୯ ଜଣ ଡିଏସପି ଏବଂ ୯ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଖୋଳତାଡ଼ ଜାରି ରଖିଛନ୍ତି:
୧. ଭୁବନେଶ୍ୱର ବାଲିଅନ୍ତାସ୍ଥିତ ଜୋହଳଠାରେ ଥିବା ୪ ମହଲା କୋଠା।
୨. କଟକ ଚୌଦ୍ୱାର ଯାଜଭୈରବଠାରେ ଥିବା ୨ ମହଲା କୋଠା।
୩. କଟକ ବାଙ୍କୀ ରାଗଡ଼ିଠାରେ ଥିବା ପୈତୃକ ବାସଭବନ।
୪. କେନ୍ଦ୍ରାପଡ଼ା ଡେରାବିଶ୍ ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ଅସ୍ଥାୟୀ ବାସଭବନ।
୫. ଭଦ୍ରକ ବୁଦଙ୍ଗା, ଢେଙ୍କାନାଳ ସାନସାଥୀବଟିଆ ଏବଂ ଭୁବନେଶ୍ୱର ପଟିଆଠାରେ ଥିବା ସମ୍ପର୍କୀୟଙ୍କ ଘର।

ଚଢ଼ାଉ ସମୟରେ ବିପୁଳ ପରିମାଣର ସୁନା ଗହଣା, ନଗଦ ଟଙ୍କା ଏବଂ ଜମିବାଡ଼ି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ଆକଳନ କରାଯାଇ ନାହିଁ। ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଏହି କୁବେର ସମ୍ପତ୍ତିର ପାହାଡ଼ ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ।

Related Articles

Back to top button