ଓଡ଼ିଶାକ୍ରୀଡ଼ା

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-2026

ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣଇବା ପାଇଁ କ୍ରୀଡ଼ାମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୧୦/୦୩/୨୦୨୬: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତା ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ନାଗରିକମାନଙ୍କ ମଧ୍ୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ଶୈଳୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ରେ ଯୁବବର୍ଗଙ୍କ ଠାରୁ ନେଇ ମହିଳା, ବରିଷ୍ଠ ନାଗରିକ, ଏନସିସି ଓ ଏନଏସଏସ ସ୍ବେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମସ୍ତ ସମୁଦାୟର ଅଂଶୀଦାରିତାକୁ ସୁନିଶ୍ଚିତ କରାଯିବ।

ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଫିଟ୍ ଇଣ୍ଡିଆ କାର୍ନିଭାଲରେ ସକାଳ ସମୟରେ ପୁରୀ ବେଳାଭୂମିରେ ଯୋଗ, ପ୍ରାଣାୟାମ, ୱାକାଥନ୍‌, ମାରାଥନ୍‌ ସହ ଦୌଡ଼କୁଦ, ଫୁଟବଲ, ଜୁମ୍ବା, ଏରୋବିକ୍ସ, ଭଲିବଲ ଆଦି ଖେଳର ଆୟୋଜନ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଡ଼ସ ଜୋନ ଏବଂ ମହିଳା ୱେଲନେସ ଜୋନ୍‌ର ବ୍ୟବସ୍ଥା କରାଯିବ। ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ସାମୁହିକ ଧ୍ୟାନ ସହ ଆୟୁଷ ୱେଲନେସ୍‌ ସେଣ୍ଟର ଖୋଲାଯିବ। ସନ୍ଧ୍ୟା ସମୟରେ ଗୋଟିପୁଅ, ମଲଖମ୍ଭ, ଫିଟନେଶ ଫ୍ୟାସନ ୱାକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫିଟନେଶ ଷ୍ଟୋରୀ ଓପନ ମାଇକ ଆଦି ଆୟୋଜିତ ହେବ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀରେ ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ କରାଯାଉଛି। ଏକ ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣାଇବା ସମସ୍ତେ ଯେପରି ଶାରୀରିକ ଓ ମାନସିକ ସ୍ତରରେ ସମସ୍ତେ ଫିଟ୍ ରହିବେ ତାହାକୁ ପ୍ରଧାନ୍ୟ ଦିଆଯିବ। ଆମ କ୍ରୀଡ଼ା ଜଗତ ସହ ଜଡ଼ିତ ଆମ ପାରମ୍ପରିକ ନୃତ୍ୟ ଗୋଟିପୁଅ, ମଲଖମ୍ଭର ଆୟୋଜନ ସହ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲର ସଫଳ ଆୟୋଜନ ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।ପୁରୀ ଜିଲ୍ଲା ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଫିଟ୍ ଇଣ୍ଡିଆ କାର୍ନିଭାଲରେ ଯୋଗଦେଇ ଏହାକୁ ସଫଳ କରିବେ ବୋଲି ମୁଁ ଆଶାବାଦୀ।”

Related Articles

Back to top button