ଓଡ଼ିଶାରାଜନୀତି

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଶତାଧିକ ସମର୍ଥକଙ୍କ ସହ ଭାଜପାରେ ମିଶିଲେ ବାଲେଶ୍ୱରର ପୂର୍ବତନ ସାଂସଦ

ଭୁବନେଶ୍ୱର, ୧୧/୦୩/୨୦୨୬: ଓଡ଼ିଶା ରାଜନୀତିରେ ଦଳବଦଳ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ବିଜେଡିକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଛି। ବାଲେଶ୍ୱରର ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ରବୀନ୍ଦ୍ର ଜେନା ଆଜି ନିଜର ଶତାଧିକ ସମର୍ଥକଙ୍କୁ ନେଇ ଏକ ବିଶାଳ ପଟୁଆରରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର ଅନେକ ସ୍ଥାନୀୟ ନେତା ଓ କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରବୀନ୍ଦ୍ରଙ୍କ ମିଶ୍ରଣ ପରେ ବାଲେଶ୍ୱର ଅଞ୍ଚଳରେ ବିଜେପିର ସାଂଗଠନିକ ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

ଗତ କିଛି ଦିନ ତଳେ ରବୀନ୍ଦ୍ର ଜେନା ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିଲେ। ସେ କହିଥିଲେ ଯେ ବିଜେଡି ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ। ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ରବୀନ୍ଦ୍ର ଜେନା ବିଜେପିକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ସୁବାସିନୀ ଜେନା ବର୍ତ୍ତମାନ ବିଜେଡି ଟିକେଟରେ ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ଅଛନ୍ତି। ଗୋଟିଏ ପରିବାରର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ଦୁଇଟି ଭିନ୍ନ ପ୍ରମୁଖ ଦଳରେ ରହିବା ଏବେ ବାଲେଶ୍ୱର ରାଜନୀତିକୁ ରୋଚକ କରିଦେଇଛି।

ବିଜେପିରେ ମିଶିବା ପରେ ରବୀନ୍ଦ୍ର ଜେନା କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ଏବଂ ବାଲେଶ୍ୱରବାସୀଙ୍କ ସେବା ଜାରି ରଖିବେ।

 

 

Related Articles

Back to top button