
ଭୁବନେଶ୍ୱର, ୧୪/୦୩/୨୦୨୬: ଓଡ଼ିଶାରେ ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଡିଜିପି ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (OUSSSC)ର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରାଜ୍ୟରେ ପୋଲିସ, ଅବକାରୀ ଏବଂ ଜଙ୍ଗଲ ବିଭାଗ ଭଳି ୟୁନିଫର୍ମ ସେବା ପାଇଁ ନିଯୁକ୍ତି ଅଲଗା ଅଲଗା ବୋର୍ଡ ମାଧ୍ୟମରେ କରାଯାଉଥିଲା। ଏଥିଯୋଗୁଁ ପରୀକ୍ଷା ପରିଚାଳନାରେ ବିଳମ୍ବ ଏବଂ ଅନିୟମିତତା ଭଳି ଅଭିଯୋଗ ଆସୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗତ ନଭେମ୍ବର ମାସରେ ଏହି ସ୍ୱତନ୍ତ୍ର ଆୟୋଗ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା।
କିଏ ଏହି ରଶ୍ମିରଞ୍ଜନ ସ୍ୱାଇଁ?
୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁ ଜଣେ ଦକ୍ଷ ଏବଂ ନିର୍ଭୀକ ଅଧିକାରୀ ଭାବେ ଜଣାଶୁଣା।ସେ ୨୦୨୪ ମସିହାରେ ଜାମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଅବସର ଗ୍ରହଣ କରିଛନ୍ତି।ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଆତଙ୍କୀ ପାଣ୍ଠି ନେଟୱାର୍କକୁ ଧ୍ୱଂସ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶାର ରାଉରକେଲାର ମୂଳ ବାସିନ୍ଦା ହୋଇଥିବା ଶ୍ରୀ ସ୍ୱାଇଁ ଜାମ୍ମୁ, ଶ୍ରୀନଗର ଏବଂ ଲେହ ଭଳି ସଂବେଦନଶୀଳ ଜିଲ୍ଲାରେ ଏସଏସପି ଭାବେ କାର୍ଯ୍ୟ କରିଛନ୍ତି।
ଆୟୋଗର ମୁଖ୍ୟ କାର୍ଯ୍ୟ:
ଏହି ନୂତନ ଆୟୋଗ ଗୃହ, ଅବକାରୀ, ଜଙ୍ଗଲ ଓ ପରିବେଶ ଏବଂ ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସମୟାନୁବର୍ତ୍ତୀ, ସ୍ୱଚ୍ଛ ଏବଂ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ।
ରଶ୍ମିରଞ୍ଜନ ସ୍ୱାଇଁଙ୍କ ପରି ଜଣେ ଅଭିଜ୍ଞ ଅଧିକାରୀଙ୍କୁ ଏହାର ଦାୟିତ୍ୱ ମିଳିବା ପରେ, ରାଜ୍ୟର ହଜାର ହଜାର ଆଶାୟୀ ଯୁବକଯୁବତୀଙ୍କ ମନରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ନୂତନ ଆଶା ସଞ୍ଚାର ହୋଇଛି।




