
ଭୁବନେଶ୍ୱର ,ଅକ୍ଷୟ ଶକ୍ତି ଉତ୍ପାଦନ ଓ ସଂରକ୍ଷଣକୁ ପ୍ରୋତ୍ସାହିତ କରି ଦେଶର, ସର୍ବାଧିକ ବିଦ୍ୟୁତ୍ ଚାହିଦା ସମୟକୁ ପରିପୂରଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଉପଭୋକ୍ତା ଅଧିକାର ଚିଠା ନିୟମ-୨୦୨୬ ପ୍ରକାଶ କରିଛନ୍ତି। ଚିଠା ନିୟମ ଉପରେ ମତାମତ ରଖିବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ବିଦ୍ୟୁତ୍ ଅନୁଷ୍ଠାନଗୁଡ଼ିକୁ ଏକ ମାସ ସମୟ ଦିଆଯାଇଥିବାବେଳେ, ଅକ୍ଟୋବର ପହିଲାରୁ ଏହାକୁ ଅଧିସୂଚିତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମହାନଗର ନିଗମ ଅଞ୍ଚଳର ଅଧିବାସୀଙ୍କୁ ୩ ଦିନ ମଧ୍ୟରେ ନୂତନ ବିଦ୍ୟୁତ୍ ସଂଯୋଗ କିମ୍ବା ବିଦ୍ୟମାନ ସଂଯୋଗର ପରିବର୍ତ୍ତନ କରାଯିବ। ପୌରାଞ୍ଚଳ ପାଇଁ ୭ ଦିନ ଓ ଗ୍ରାମାଞ୍ଚଳରେ ୧୫ ଦିନ ମଧ୍ୟରେ ଏହି ସେବା ଯୋଗାଇ ଦିଆଯିବ। ସେହିପରି ଚିଠା ନିୟମରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବିଦ୍ୟୁତ୍ ସଂରକ୍ଷଣ ବୃଦ୍ଧି କରିବା ତଥା ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ଟିଓଡି ଟାରିଫ ମାଧ୍ୟମରେ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ସଂଶୋଧିତ ଚିଠା ନିୟମରେ ଉପଭୋକ୍ତାଙ୍କ ଅଭିଯୋଗଗୁଡ଼ିକୁ ତ୍ବରିତ ସମାଧାନ ପାଇଁ ଦ୍ୱିସ୍ତରୀୟ ଅଭିଯୋଗ ସମାଧାନ ମଞ୍ଚ ଗଠନ ପ୍ରସ୍ତାବ ରହିଛି। ପ୍ରତ୍ୟେକ ଜିଲାରେ କିମ୍ବା ପୌରାଞ୍ଚଳରେ, ଗୋଟିଏ ଲେଖାଏଁ ଜିଆରଏଫ ଗଠନ ପ୍ରସ୍ତାବ ଥିବାବେଳେ ବିତରଣ କମ୍ପାନୀସ୍ତରରେ ଆଉ ଗୋଟିଏ ଜିଆରଏଫ୍ ଗଠନ ହେବ। ଜିଲା କିମ୍ବା ପୌରାଞ୍ଚଳରେ ଥିବା ଜିଆରଏଫର ଆଦେଶରେ ଉପଭୋକ୍ତା ଅସନ୍ତୁଷ୍ଟ ହେଲେ ୩ ମାସ ମଧ୍ୟରେ କମ୍ପାନୀସ୍ତରରେ ଥିବା ଜିଆରଏଫ୍ରେ ଅଭିଯୋଗ ଦାଖଲ କରିବେ।




