
ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଉଲ୍ଲଙ୍ଘନ କରିଥିବା ୩ ବିଧାୟକଙ୍କ ବିରୋଧରେ କଂଗ୍ରେସ ନିଜର ଆଭିମୁଖ୍ୟ ଆହୁରି କଠୋର କରିଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଆଜି ବାଚସ୍ପତିଙ୍କୁ ଏକ ଚିଠି ଲେଖି ନିଲମ୍ବିତ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗଙ୍କ ବିଧାନସଭା ଆସନ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି। ଦଳରୁ ନିଲମ୍ବିତ ହୋଇଥିବାରୁ ସେମାନଙ୍କୁ କଂଗ୍ରେସ ବେଞ୍ଚରୁ ହଟାଇ ଅନ୍ୟତ୍ର ବସାଇବାକୁ ସେ ଦାବି କରିଛନ୍ତି। ଏହାସହିତ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଦଳ-ବଦଳ ବିରୋଧୀ ଆଇନ ଲଗାଇ ସେମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ କାଡ଼ାମ ବାଚସ୍ପତିଙ୍କ ନିକଟରେ ଦୃଢ଼ ଦାବି ରଖିଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ବିଧାୟକମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକମାନଙ୍କୁ ଏକତ୍ର ରଖିବା ପାଇଁ ବେଙ୍ଗାଲୁରୁ ନେବା ସହ ଅନେକ ପ୍ରୟାସ କରାଯାଇଥିଲା, ମାତ୍ର ଓଡ଼ିଶାରେ ରହିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଦାଶରଥି ଗମାଙ୍ଗ ଓ ରମେଶ ଜେନା କଥା ଦେଇ ମଧ୍ୟ ଧୋକା ଦେଇଥିବା ବେଳେ ସୋଫିଆ ଫିର୍ଦ୍ଦୋସ ନିଜର ଉଜ୍ଜ୍ୱଳ ରାଜନୈତିକ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଭକ୍ତ କହିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ସିଂହ ଭଳି ଗର୍ଜନ କରୁଥିବା ଏହି ନେତାମାନେ କାର୍ଯ୍ୟକ୍ଷେତ୍ରରେ ବିକ୍ରି ହୋଇଯାଇଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ‘ଘୋଡ଼ା ବେପାର’ ପଶିଯିବାରୁ ବିଧାୟକମାନେ ଏଭଳି ଅନୈତିକ କାର୍ଯ୍ୟ କରିଛନ୍ତି। ଦଳ ପକ୍ଷରୁ ସେମାନଙ୍କ ବିରୋଧରେ ଆଇନଗତ ଲଢ଼େଇ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କଂଗ୍ରେସ ଶିବିର ପକ୍ଷରୁ ଚେତାବନୀ ଦିଆଯାଇଛି। ବର୍ତ୍ତମାନ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି, ଯାହା ଏହି ୩ ବିଧାୟକଙ୍କ ରାଜନୈତିକ ଭବିଷ୍ୟତ ନିର୍ଧାରଣ କରିବ।




