ଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନ ଗଣତନ୍ତ୍ର ପାଇଁ କଳାଦିନ: ବିଜେଡି

ଯିଏ ବିଜୁ ବାବୁଙ୍କ ସହ ବିଶ୍ୱାସଘାତ କରିଥିଲେ, ସେ ନବୀନଙ୍କ ସହ ମଧ୍ୟ ସମାନ କଲେ: ବିଜେଡି

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୬: ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଗଢ଼ା ହୋଇଥିବା ବିଜୁ ଜନତା ଦଳ, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ‘ଶଙ୍ଖ ଭବନ’ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଏବଂ ଧ୍ରୁବ ଚରଣ ସାହୁ ଏହି କ୍ରସ ଭୋଟିଂକୁ ଗଣତନ୍ତ୍ର ପାଇଁ ଏକ ‘କଳାଦିନ’ ଭାବେ ଅଭିହିତ କରିଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ଅବମାନନା କରି କିଛି ବିଧାୟକ ‘ଘୋଡ଼ା ବେପାର’ରେ ସାମିଲ ହୋଇ ବିପୁଳ ଅର୍ଥ ବିନିମୟରେ ଜଣେ ଦାଗୀ ନେତାଙ୍କୁ ବିଜୟୀ କରିଥିବାରୁ ଦଳ ପକ୍ଷରୁ ସେମାନଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କ୍ରସ ଭୋଟିଂ କରିଥିବା ବିଧାୟକମାନେ ଏବେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ‘ବିଜୁ ଲିଗାସୀ’ ବା ବିଜୁ ବାବୁଙ୍କ ଆଦର୍ଶର ଦ୍ୱାହି ଦେଉଛନ୍ତି। ଯେଉଁମାନେ ଦିନେ ନବୀନ ବାବୁଙ୍କ ଗାଡ଼ିକୁ ଟେକା ଓ ଅଣ୍ଡା ମାଡ଼ କରିଥିଲେ, ନବୀନ ବାବୁ ସେ ସବୁ ଭୁଲି ସେମାନଙ୍କ ପରିବାରକୁ ରାଜନୈତିକ ପରିଚୟ ଦେଇଥିଲେ। କାହାର ପତ୍ନୀଙ୍କୁ ଜିଲ୍ଲା ପରିଷଦ ସଭାପତି ତ କାହାକୁ ଦୁଇ ଦୁଇ ଥର ବିଧାୟକ କରାଇଥିଲେ। ମାତ୍ର ଆଜି ସେହି ନେତାମାନେ କିଛି ଟଙ୍କା ପାଇଁ ନିଜକୁ ବିକ୍ରି କରି ଦଳୀୟ ଆଦର୍ଶ ସହ ବିଶ୍ୱାସଘାତକତା କରିଛନ୍ତି। ଏହା କୌଣସି ପରିସ୍ଥିତିରେ ବିଜୁ ଲିଗାସୀ ହୋଇନପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ କରିଛନ୍ତି ଯେ, ଏହି ଘୋଡ଼ା ବେପାରରେ ସାମିଲ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପରେ ବର୍ଷି ସେ କହିଛନ୍ତି ଯେ, ୧୯୯୬ ମସିହାରେ ତାଙ୍କ ପିତା ପ୍ରଭାତ ତ୍ରିପାଠୀ ବିଜୁ ବାବୁଙ୍କ ସହ ବିଶ୍ୱାସଘାତ କରି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଆଜି ଦେବୀ ରଞ୍ଜନ ମଧ୍ୟ ସେହି ପରମ୍ପରାକୁ ଦୋହରାଇଛନ୍ତି। ଅନ୍ୟପଟେ ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ୧୯୯୫ରେ ବିଜୟ ମହାପାତ୍ର ଯେଉଁଭଳି ଭାବେ ବିଜୁ ବାବୁଙ୍କୁ କ୍ଷମତାରୁ ଦୂରେଇ ରଖିବାକୁ ଚକ୍ରାନ୍ତ କରିଥିଲେ, ଆଜି ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ ସେହି ରଣନୀତି ଆପଣାଇଛନ୍ତି। ରେଙ୍ଗାଲୀ ବିଧାୟକଙ୍କୁ ୧୫ କୋଟିର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଦଳ ପ୍ରତି ଅଟଳ ରହି ସଚ୍ଚୋଟତାର ପରିଚୟ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Related Articles

Back to top button