ଐତିହ୍ୟ ଓ ସଂସ୍କୃତିଜୀବନଶୈଳୀ

ବାରୁଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର ,ବୈତରଣୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମଙ୍ଗଳବାର ପ୍ରାତଃ ୫ଟା ୩୯ରୁ ସକାଳ ୮ଟା ୩ ମଧ୍ୟରେ ବାରୁଣୀ ସ୍ନାନଯୋଗ ରହିଥିବାବେଳେ ଶ୍ରଦ୍ଧାଳୁ ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବୁଡ଼ ପକାଇଥିଲେ। ଯୋଗ ସମୟରେ ବାରୁଣୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ବୈତରଣୀରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ରାସ୍ତାଘାଟ ଲୋକାରଣ୍ୟ ହୋଇପଡ଼ିଥିଲା। ନିର୍ଦ୍ଧାରିତ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତ ନିଜର ଚାରି ଚକିଆ ଓ ଦୁଇ ଚକିଆ ଯାନ ରଖି ସ୍ନାନ ନିମନ୍ତେ ବୈତରଣୀର ଦଶାଶ୍ୱମେଧ ଘାଟକୁ ଯାଇଥିଲେ।  ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ପୁଲିସ ମୁତାୟନ ହେବା ସହ ନଦୀ ପାର୍ଶ୍ବରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ଓ ଅନ୍ୟ ପୁଲିସ ଅଧିକାରୀ ଜଗି ବସିଥିଲେ। ବହୁ ସ୍ଥାନରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯିବା ସହ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ଯୋଗାଇ ଦିଆଯାଇଥିଲା। ବାରୁଣୀରେ ସାଧୁସନ୍ଥ ନିର୍ଦ୍ଧାରିତ ସମୟରେ ବୁଡ଼ ପକାଇଥିଲେ।ବାରୁଣୀରେ ଶ୍ରଦ୍ଧାଳୁ ସ୍ନାନ କରିବା ପରେ ପ୍ରଭୁ ବରାହ, ପ୍ରଭୁ ଜଗନ୍ନାଥ, ସପ୍ତମାତୃକା, ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଫଳରେ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏପରିକି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Related Articles

Back to top button