ଜାତୀୟଦୁର୍ଘଟଣା

୩ ମହଲା କୋଠାରେ ଲାଗିଲା ନିଆଁ ; ୭ ମୃତ

ଇନ୍ଦୋର, ୧୮ ମାର୍ଚ୍ଚ ୨୦୨୬: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ସର୍ଟସର୍କିଟ୍ ଯୋଗୁଁ ଘଟିଥିଲା। ଘର ବାହାରେ ଏକ ଇଲେକ୍ଟ୍ରିକ୍ ଯାନକୁ ଚାର୍ଜିଂ ପାଇଁ ପ୍ଲଗ୍-ଇନ୍ କରାଯାଇଥିବା ବେଳେ ହଠାତ୍ ସର୍ଟସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଏଭଳି ଭୟଙ୍କର ରୂପ ଧାରଣ କରିଥିଲା ଯେ, ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ସମ୍ପୂର୍ଣ୍ଣ ତିନି ମହଲା କୋଠାଟି ନିଆଁର ଆବରଣ ମଧ୍ୟକୁ ଚାଲିଆସିଥିଲା। ଘଟଣା ସମୟରେ କୋଠା ଭିତରେ ୧୦ରୁ ଅଧିକ ଲୋକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଇନ୍ଦୋରର ତିଲକ ନଗର ପୋଲିସ ଷ୍ଟେଶନ ଅନ୍ତର୍ଗତ ଏହି ଅଞ୍ଚଳରେ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଭୟଙ୍କର ନିଆଁକୁ ଦେଖି ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ଏବଂ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ପ୍ରୟାସ କରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ହେଁ ଅନ୍ୟ ୭ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

ଏହି ଅଘଟଣ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ଏବଂ ବୈଷୟିକ ତ୍ରୁଟି ଅନୁଧ୍ୟାନ କରିବା ପାଇଁ ଏକ ଫୋରେନସିକ୍ ଦଳକୁ ତଦନ୍ତରେ ସାମିଲ କରାଯାଇଛି। ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଥିଲେ ମଧ୍ୟ ଏହି ଦୁର୍ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।

Related Articles

Back to top button